ଜ୍ଞାନବାପି ୱାଜୁଖାନା ସଫା ହେବ: ହିନ୍ଦୁ ପକ୍ଷଙ୍କ ଦାବିରେ ସୁପ୍ରିମକୋର୍ଟଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ (ୟୁପି)ର ବାରଣାସୀସ୍ଥିତ ଜ୍ଞାନବାପି କମ୍ପ୍ଲେକ୍ସରେ ବଜୁଖାନା ସଫା କରାଯିବ। ଆଜି ସୁପ୍ରିମକୋର୍ଟ ଏଥିପାଇଁ ଅନୁମୋଦନ ଦେଇଛନ୍ତି। ହିନ୍ଦୁ ପକ୍ଷଙ୍କ ଦାବି କ୍ରମେ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ ସେଠାରେ ସଫେଇ କାର୍ଯ୍ୟ ଜିଲ୍ଲାପାଳ (ଡିଏମ୍)ଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିଲା। ଜାନୁଆରି ୩ତାରିଖରେ ସେ ଏହି ଆବେଦନର ଶୁଣାଣି ଖୁବ୍ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବଜୁଖାନାରେ ମାଛ ମରିବା ପରେ ଏହି ପିଟିସନ ଦାଖଲ କରାଯାଇଥିଲା। ହିନ୍ଦୁ ପକ୍ଷ ତାଙ୍କ ପିଟିସନରେ କହିଛି ଯେ ୨୦୨୩ ଡିସେମ୍ବର ୧୨ରୁ ୨୫ ମଧ୍ୟରେ ବଜୁଖାନାର ମାଛ ମରିଯାଇଥିଲା। ଏହି କାରଣରୁ ଦୁର୍ଗନ୍ଧ ଆରମ୍ଭ ହୋଇଯାଇଛି। ପିଟିସନରେ ଆହୁରି ମଧ୍ୟ କୁହାଯାଇଛି, ସେଠାରେ ଥିବା ଶିବଲିଙ୍ଗ ହିନ୍ଦୁମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର । ତେଣୁ ଏହାକୁ ଯେକୌଣସି ପ୍ରକାର ଧୂଳି, ମଇଳା ଓ ମୃତ ପଶୁଙ୍କଠାରୁ ଦୂରେଇ ରଖିବା ଉଚିତ। ଏହାକୁ ସଫା କରିବା ଉଚିତ। କିନ୍ତୁ ବର୍ତ୍ତମାନ ଏହାକୁ ମୃତ ମାଛ ଘେରି ରହିଥିବାରୁ ଭଗବାନ ଶିବଙ୍କୁ ବିଶ୍ୱାସ କରୁଥିବା ଭକ୍ତଙ୍କ ଭାବନାକୁ ଆଘାତ ମିଳୁଛି। ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଜରିଆରେ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରାଯାଇଛି। ଆବେଦନରେ କୁହାଯାଇଛି ଯେ ଜ୍ଞାନବାପି କମ୍ପ୍ଲେକ୍ସରେ ମସଜିଦ ପରିଚାଳନା କରୁଥିବା ଅଞ୍ଜୁମନ ଇନ୍ତେଜାମିଆ ମସଜିଦର ପରିଚାଳନା ଦାୟିତ୍ୱ ରହିଛି। ସେଥିପାଇଁ ମାଛ ମୃତ୍ୟୁ ପାଇଁ ସେମାନେ ଦାୟୀ। ତେଣୁ ଉକ୍ତ ସ୍ଥାନକୁ ସଫା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଥିଲା।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୨ରେ ବଜୁଖାନା ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏଠାରେ ‘ଶିବଲିଙ୍ଗ’ ଆକାରର ଏକ ପଥର ମିଳିଥିଲା, ଯାହାପରେ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ମଇ ୨୦୨୨ରେ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସର୍ଭେବେଳେ ଏହି ମନ୍ଦିରକୁ ହିନ୍ଦୁ ପକ୍ଷ ‘ଶିବଲିଙ୍ଗ’ ଏବଂ ମୁସଲମାନ ପକ୍ଷର ‘ଝରଣା’ ବୋଲି ଦାବି କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button