ରାମ ମନ୍ଦିର ଉଦ୍‍ଘାଟନ ଉତ୍ସବରେ ଯୋଗ ଦେବେନି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ, ୨୨ ଜାନୁଆରୀ ୨୦୨୪ରେ ଉତ୍ତରପ୍ରଦେଶ (ୟୁପି)ର ଅଯୋଧ୍ୟାରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ପୂର୍ଣ୍ଣଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି। ନାଗାଲାଣ୍ଡର କୋହିମାଠାରେ ଆଜି କେରଳର ୱାୟନାଡର କଂଗ୍ରେସ ସାଂସଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହିନ୍ଦୁ ଧର୍ମର ଗୁରୁତ୍ୱପୂର୍ଣ୍ଣ ଲୋକମାନେ ରାମ ମନ୍ଦିର ଉଦ୍‍ଘାଟନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ୨୨ ତାରିଖର କାର୍ଯ୍ୟକ୍ରମ ନିର୍ବାଚନୀ କାର୍ଯ୍ୟକ୍ରମ ହୋଇଛି। ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ସବୁ ଧର୍ମକୁ ସମ୍ମାନ ଦେଇଥାଉ। ତେବେ ଆମ ଦଳ ଓ ମେଣ୍ଟର ଯେ କୌଣସି ବ୍ୟକ୍ତି ସେଠାକୁ ଯିବାକୁ ଚାହୁଁଛନ୍ତି। ତେବେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ରୁଟରେ ଅଯୋଧ୍ୟା ପଡ଼ିବ ନାହିଁ ବୋଲି ରାହୁଲ ଗାନ୍ଧି ଇଶାରାରେ ସ୍ପଷ୍ଟ କରିଛନ୍ତି। ସେ ଏ ବିଷୟରେ କହିଲେ – ମୁଁ ଯାତ୍ରା ରାସ୍ତାରେ ରହିବି। ବର୍ତ୍ତମାନ ଅଯୋଧ୍ୟା ନ୍ୟାୟ ଯାତ୍ରା ରାସ୍ତାରେ ନାହିଁ। ବିଜେପି ସହ ଲଢ଼ିବା ପାଇଁ ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାହୁଲ ଗାନ୍ଧି ଦାବି କରିଛନ୍ତି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ହେଉଛି ଆଦର୍ଶର ଯାତ୍ରା। ଇଣ୍ଡି ମେଣ୍ଟ ଭଲ ଲଢ଼େଇ କରି ଜିତିବ। ନ୍ୟାୟଯାତ୍ରା ସାମାଜିକ, ଅର୍ଥନୈତିକ, ରାଜନୈତିକ ନ୍ୟାୟ ପାଇଁ ଏବଂ ଏଥିରେ ଜାତିଗତ ଜନଗଣନା ଭଳି ଅନେକ ପ୍ରସଙ୍ଗ ରହିଛି। ପଶ୍ଚିମବଙ୍ଗରେ ଇଣ୍ଡି ମେଣ୍ଟ ପ୍ରସଙ୍ଗରେ ସେ କହିଛନ୍ତି, ପଶ୍ଚିମବଙ୍ଗରେ ଆମେ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରୁଛୁ। ବର୍ତ୍ତମାନ ଆସନ ବୁଝାମଣା ଆଲୋଚନା ଚାଲିଛି ଏବଂ ଏଥିରେ କୌଣସି ଜଟିଳତା ନାହିଁ ବୋଲି ସେ ସ୍ୱୀକାର କରି କହିଛନ୍ତି ଯେ କେତେକ ରାଜ୍ୟରେ ସମସ୍ୟା ରହିଛି। ବିଜେପି ମଡ଼େଲ ଏକ ଘୃଣ୍ୟ ମଡ଼େଲ। ଭାରତ ସରକାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି), ଦଳିତ ଓ ଆଦିବାସୀଙ୍କ ଦ୍ୱାରା ପରିଚାଳିତ ହେଉନାହିଁ। ଅନ୍ୟାୟ ଯୋଗୁଁ ଘୃଣା ବଢ଼ିବାରେ ଲାଗିଛି। ଗଣମାଧ୍ୟମ ଏସବୁ କଥାକୁ ଗୁରୁତ୍ୱ ଦେଉଛି। ଛୋଟ ଛୋଟ ସମସ୍ୟାର ସମାଧାନ ହେବ ଏବଂ ଆମେ ବିଜେପି ବିରୋଧରେ ଲଢ଼ିବୁ ବୋଲି ଆମର ବିଶ୍ୱାସ ରହିଛି ବୋଲି ରାହୁଲ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button