ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୩୦ କୋଟି ଆୟୁଷ୍ମାନ କାର୍ଡ ସୃଷ୍ଟି
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ – ଜନ ଆରୋଗ୍ୟ ଯୋଜନା (ଏବିପିଏମ୍ – ଜେଏୱାଇ)୧୨ ଜାନୁଆରୀ ୨୦୨୪ରେ ୩୦ କୋଟି ଆୟୁଷ୍ମାନ କାର୍ଡର ମାଇଲଖୁଣ୍ଟ ଅତିକ୍ରମ କରିଛି । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍ଏଚ୍ଏ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ପ୍ରମୁଖ ଯୋଜନାର ଲକ୍ଷ୍ୟ ହେଉଛି ୧୨ କୋଟି ହିତାଧିକାରୀ ପରିବାରକୁ ଦ୍ୱିତୀୟ ଏବଂ ତୃତୀୟ ସ୍ତରର ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା। ଆୟୁଷ୍ମାନ ଭାରତ ପିଏମ୍ – ଜେଏୱାଇ ଅଧୀନରେ ଆୟୁଷ୍ମାନ କାର୍ଡ ସୃଷ୍ଟି କରିବା ହେଉଛି ସବୁଠାରୁ ମୌଳିକ କାର୍ଯ୍ୟକଳାପ ଏବଂ ଏହି ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ଆୟୁଷ୍ମାନ କାର୍ଡ ଅଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ନିରନ୍ତର ପ୍ରୟାସର ଫଳସ୍ୱରୂପ ଏହି ଯୋଜନା ୩୦ କୋଟି ଆୟୁଷ୍ମାନ କାର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି । କେବଳ ଗତ ଦୁଇ ଆର୍ଥିକ ବର୍ଷରେ ୧୬.୭ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୨୦୨୩ – ୨୪ ରେ ୭.୫ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ସୃଷ୍ଟି ହୋଇଛି । ଅର୍ଥାତ୍ ପ୍ରତି ମିନିଟରେ ପ୍ରାୟ ୧୮୧ଟି ଆୟୁଷ୍ମାନ କାର୍ଡ ତିଆରି ହେଉଛି । ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ସଂତୃପ୍ତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ୧୫ ନଭେମ୍ବର୨୦୨୩ରେ ଆରମ୍ଭ ହୋଇଥିବା ଭାରତ ସଂକଳ୍ପ ଯାତ୍ରାରେ ପ୍ରଦାନ କରାଯାଉଥିବା ଅନ – ସ୍ପଟ୍ ସେବାରେ ଆୟୁଷ୍ମାନ କାର୍ଡ ସୃଷ୍ଟିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଭିଯାନ ତୃଣମୂଳ ସ୍ତରରେ କାର୍ଡ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାରେ ଯଥେଷ୍ଟ ସହାୟକ ହୋଇଛି । ଭିବିଏସ୍ୱାଇ ଯାତ୍ରା ସମୟରେ ୨.୪୩ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଛି । ଏହା ବ୍ୟତୀତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଆୟୁଷ୍ମାନ ଭବ ଅଭିଯାନ ସମୟରେ ୫.୬ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ (୧୭ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ) ସୃଷ୍ଟି କରାଯାଇଛି । ଅନ୍ତିମ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏନ୍ଏଚ୍ଏ ଆୟୁଷ୍ମାନ କାର୍ଡ ସୃଷ୍ଟି ପାଇଁ ‘ଆୟୁଷ୍ମାନ ଆପ୍’ ଲଞ୍ଚ କରାଯାଇଛି । ଏହି ଆପରେ ନିଜକୁ ଯାଂଚ କରିବାର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ୪ଟି ସରଳ ପର୍ଯ୍ୟାୟରେ ଏହି ବୈଶିଷ୍ଟ୍ୟ ଦ୍ୱାରା ହିତାଧିକାରୀମାନେ ଆଣ୍ଡ୍ରଏଡ ମୋବାଇଲ ଫୋନ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରିପାରିବେ । ଏହାବ୍ୟତୀତ ଯେ କୌଣସି ବ୍ୟକ୍ତି ଆୟୁଷ୍ମାନ କାର୍ଡ ସୃଷ୍ଟି କରିବାରେ ହିତାଧିକାରୀଙ୍କୁ ସାହାଯ୍ୟ କରିପାରିବେ । ତେଣୁ ଆୟୁଷ୍ମାନ ଆପ୍ ଜନଭାଗିଦାରୀକୁ ନିଜ ଭାବନାରେ ସକ୍ଷମ କରିଥାଏ । ୧୩ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହେବା ପର ଠାରୁ ଏହି ଆପ୍ ୫୨ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ ହୋଇଥିବାରୁ ଏହି ଆପ୍ଲିକେସନର ସଫଳତାକୁ ସେଥିରୁ ମାପ କରାଯାଇପାରିବ । ୪.୮୩ କୋଟି ଆୟୁଷ୍ମାନ କାର୍ଡ ସହ ଉତ୍ତର ପ୍ରଦେଶ ସର୍ବାଧିକ ଆୟୁଷ୍ମାନ କାର୍ଡ ଥିବା ରାଜ୍ୟ ତାଲିକାର ଶୀର୍ଷରେ ରହିଛି । ମଧ୍ୟପ୍ରଦେଶ ୩.୭୮ କୋଟି ଏବଂ ୨.୩୯ କୋଟି ଆୟୁଷ୍ମାନ କାର୍ଡ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି । ୧୧ଟି ରାଜ୍ୟରେ ୧ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡଧାରୀ ଅଛନ୍ତି । ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା ମହିଳା ମାନଙ୍କ ପାଇଁ ପ୍ରାୟ ୧୪.୬ କୋଟି ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଛି । ମହିଳା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିବା ୪୯% ଆୟୁଷ୍ମାନ କାର୍ଡ ସହିତ ସ୍ୱାସ୍ଥ୍ୟ ସେବା ପାଇବାରେ ଆଞ୍ଚଳିକ ସମାନତା ଏବଂ ଆୟ ସମାନତା ସହିତ ଲିଙ୍ଗଗତ ସମାନତା ହାସଲ କରିବାକୁ ଏହି ଯୋଜନା ପ୍ରୟାସ କରୁଛି । ସେହିପରି ଏହି ଯୋଜନାରେ ପ୍ରଦାନ କରାଯାଉଥିବା ୪୮ ପ୍ରତିଶତ ଚିକିତ୍ସା ମହିଳାମାନେ ପାଇଛନ୍ତି । ତେଣୁ ଲିଙ୍ଗଗତ ସମାନତା ଏହି ଯୋଜନାର ମୂଳ ଡିଜାଇନର ଏକ ଅଂଶ ଅଟେ । ଆଜି ଆୟୁଷ୍ମାନ କାର୍ଡ ସମାନତା, ଅଧିକାର ଓ ସଶକ୍ତିକରଣର ପ୍ରତୀକ ପାଲଟିଛି । ଏହା ଗରିବ ଓ ବଞ୍ଚିତ ପରିବାରକୁ ଆଶ୍ୱାସନା ଦେଇଥାଏ ଯେ ସେମାନେ ରୋଗର ଦ୍ୱିଗୁଣିତ ବୋଝ ଏବଂ ଚିକିତ୍ସା ନେଇ ହେଉଥିବା ଯନ୍ତ୍ରଣାଦାୟକ ଖର୍ଚ୍ଚର ପ୍ରଭାବରୁ ରକ୍ଷା ପାଇବେ । ଏହି ତଥ୍ୟକୁ ଦୃଷ୍ଟିରେ ରଖି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯେପରି ଆୟୁଷ୍ମାନ କାର୍ଡ ରହିବ ସେଥିପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । ଏହାବ୍ୟତୀତ ଆୟୁଷ୍ମାନ ଭାରତ ପିଏମ୍ – ଜେଏୱାଇ ୭୯,୧୫୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୬.୨ କୋଟି ଡାକ୍ତରଖାନାରେ ସଫଳତାର ସହ ଭର୍ତ୍ତି କରିବାରେ ସକ୍ଷମ ହୋଇଛି । ଯଦି ହିତାଧିକାରୀ ଏବି ପିଏମ୍ – ଜେଏୱାଇ ପରିସର ବାହାରେ ନିଜେ ସମାନ ଚିକିତ୍ସା ପାଇଥାନ୍ତେ, ତେବେ ଚିକିତ୍ସାର ସମୁଦାୟ ଖର୍ଚ୍ଚ ପ୍ରାୟ ୨ ଗୁଣ ଅଧିକ ହୋଇଥାନ୍ତା । ଏହା ଫଳରେ ଗରିବ ଓ ବଞ୍ଚିତ ପରିବାରର ପକେଟ୍ ଖର୍ଚ୍ଚରୁ ୧.୨୫ ଲକ୍ଷ କୋଟିରୁ ଅଧିକ ସଞ୍ଚୟ ହୋଇଛି।