ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପୂଜ୍ୟପୂଜା ସାହିତ୍ୟ ସଂସଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ରାଜା ମର୍ଦ୍ଦରାଜ ଦେଓଙ୍କ ରାଜ୍ୟ ଶାସନ, ରାଜନୈତିକ ଜୀବନ ଓ ଜନସଂପର୍କ ଉପରେ ଆଲୋକପାତ କରିଥିଲେ । ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ବୋଲି ଅଭିହିତ କରିଥିଲେ। ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୀବନୀ ଓ ଆଦର୍ଶ ନେଇ ବକ୍ତବ୍ୟ ରଖିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି ରାଜା ମର୍ଦ୍ଦରାଜ ଦେଓଙ୍କୁ ସମଗ୍ର ଓଡ଼ିଆ ଜାତି ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଭାପରେ ପୂଜ୍ୟପୂଜା ସାହିତ୍ୟ ସଂସଦ, ଭୁବନେଶ୍ୱର ଆନୁକୂଲ୍ୟରେ ଗଞ୍ଜାମର ପ୍ରସିଦ୍ଧ ସଖୀନୃତ୍ୟ ଓ ଭାରତ ଲୀଳା ପରିବେଷିତ ହୋଇଥିଲା। ପୂଜ୍ୟପୂଜା ସାହିତ୍ୟ ସଂସଦର ସଂପାଦକ ଶ୍ରୀ ମହେଶ୍ୱର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published.

Back to top button