୨୦୪୭ ସୁଦ୍ଧା ୩୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବାରେ ଭାରତକୁ ଦୁନିଆର କୌଣସି ଶକ୍ତି ଅଟକାଇପାରିବନି: ମୁକେଶ ଅମ୍ବାନୀ

ଗାନ୍ଧୀନଗର: ୨୦୪୭ ସୁଦ୍ଧା ୩୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବାରେ ଭାରତକୁ ଦୁନିଆର କୌଣସି ଶକ୍ତି ଅଟକାଇପାରିବେ ନାହିଁ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି। ଭ୍ରାଇବ୍ରାଂଟ୍ ଗୁଜରାଟ ଗ୍ଲୋବାଲ୍ ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେହି ସମୟରେ ଗୁଜରାଟ ଏକ ୩ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ। ଏହି ଅବସରରେ ଶ୍ରୀ ଅମ୍ବାନୀ କହିଛନ୍ତି ଯେ ଗୁଜରାଟର ସବୁଜ ଶକ୍ତି କ୍ଷେତ୍ରରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ରିଲାଏନ୍ସ ନିବେଶ ଜାରି ରଖିବ। ୨୦୩୦ ସୁଦ୍ଧା ଗୁଜରାଟର ସବୁଜ ଶକ୍ତି ଉପଯୋଗର ଅର୍ଦ୍ଧେକ ରିଲାଏନ୍ସ ଉତ୍ପାଦନ କରିବ ବୋଲି ସେ କହିଛନ୍ତି। ସବୁଜ ଶକ୍ତି ବିକାଶରେ ଗୁଜରାଟ ଯେଭଳି ଅଗ୍ରଣୀ ସ୍ଥାନରେ ରହିବ ସେଥିପାଇଁ ରିଲାଏନ୍ସ ପକ୍ଷରୁ ଜାମନଗରରେ ୫୦୦୦ ଏକର ଜମିରେ ଧୀରୁଭାଇ ଅମ୍ବାନୀ ଗ୍ରିନ ଏନର୍ଜି ଗିଗା କମ୍ପ୍ଲେକ୍ସର ନିର୍ମାଣ ଆରମ୍ଭ କରାଯାଇଛି। ଏହା ଦ୍ୱାରା ବଡ଼ ସଂଖ୍ୟାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସବୁଜ ଉତ୍ପାଦ ଓ ସାମଗ୍ରୀର ଉତ୍ପାଦନ ସମ୍ଭବ ହେବ ଯାହା ଗୁଜରାଟକୁ ସବୁଜ ଉତ୍ପାଦର ଅଗ୍ରଣୀ ରପ୍ତାନିକାରୀରେ ପରିଣତ କରିବ ବୋଲି ସେ କହିଛନ୍ତି। ଗୁଜରାଟକୁ ନିଜର ମାତୃଭୂମି ଓ କର୍ମଭୂମି ଭାବେ ବର୍ଣ୍ଣନା କରି ଶ୍ରୀ ଅମ୍ବାନୀ କହିଛନ୍ତି ଯେ ଗତ ୧୦ ବର୍ଷରେ ରିଲାଏନ୍ସ ପକ୍ଷରୁ ଦେଶରେ ୧୨ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇଛି। ସେଥିରୁ ଏକ ତୃତୀୟାଂଶରୁ ଅଧିକ ନିବେଶ ଗୁଜରାଟରେ କରାଯାଇଛି ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button