ଦୁଇ ସରକାରୀ ବାବୁଙ୍କୁ ୪ ବର୍ଷ ଜେଲ

ଭୁବନେଶ୍ବର : ସରକାରୀ ଅର୍ଥ ହଡ଼ପ ମାମଲାରେ ଦୁଇ ସରକାରୀ ବାବୁଙ୍କୁ ଦଣ୍ଡାଦେଶ ଶୁଣାଇଲେ ସୁନ୍ଦରଗଡ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ନେଇ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ । ରାସ୍ତା ନିର୍ମାଣ ନାମରେ ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ ମାମଲାରେ ଭିଜିଲାନ୍ସ କୋର୍ଟ ଅବସରପ୍ରାପ୍ତ ପିଇଓ ଦୁର୍ୟ୍ୟୋଧନ ଘାସି ଓ ପୂର୍ବତନ ସରପଞ୍ଚ ଶଙ୍କର କିଶାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟଙ୍କୁ ୪ ବର୍ଷ ଜେଲ ସହ ୧ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲା ଅନୁସାରେ, ଜିଲ୍ଲାର ହେମଗିର ବ୍ଳକର କେନ୍ଦୁଡ଼ିହି ପଞ୍ଚାୟତକୁ ଗତ ୨୦୦୯ ମସିହାରେ ବାଦିବାହାଲ ଗ୍ରାମରେ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଦ୍ବାଦଶ ଅର୍ଥ କମିଶନରୁ ଅର୍ଥ ମଞ୍ଜୁର ହୋଇଥିଲା । କେନ୍ଦୁଡ଼ିହି ପଞ୍ଚାୟତର ପିଇଓ ଦୁର୍ୟ୍ୟୋଧନ ଘାସି ଓ ସରପଞ୍ଚ ଶଙ୍କର କିଶାନ ଆପୋଷ ବୁଝାମଣା କରି ରାସ୍ତା ନିର୍ମାଣ କରି ନଥିଲେ । ମିଥ୍ୟା ବିଲ୍ କରି ୧ ଲକ୍ଷ ୯୪ ହଜାର ୨୦୦ ଟଙ୍କା ଭାଗବଣ୍ଟା କରି ନେଇଥିଲେ । ବାଦିବାହାଲ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଅର୍ଥ ଆସିଥିବା ବେଳେ କାହିଁକି ରାସ୍ତା ନିର୍ମାଣ କରାଯାଉନି ବୋଲି ପଞ୍ଚାୟତରେ ଅଭିଯୋଗ କରିଥିଲେ । ମାତ୍ର କେହି ପ୍ରତିକ୍ରିୟା ଦେଇ ନଥିଲେ । ତେବେ ଗ୍ରାମବାସୀ ଅର୍ଥ ଆତ୍ମସାତ ହୋଇଥିବା ଜାଣିପାରି ସୁନ୍ଦରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତତ୍କାଳୀନ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସ୍‌ପି ରାଧାକୃଷ୍ଣ କାନୁନଗୋ ତଦନ୍ତ ଆରମ୍ଭ କଲେ ।  ତଦନ୍ତରେ ସିସି ରୋଡ଼ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ ହୋଇଥିବା ଜଣାପଡ଼ିବା ପରେ ପିଇଓ ଦୁର୍ୟ୍ୟୋଧନ ଘାସି ଓ ସରପଞ୍ଚ ଶଙ୍କର କିଶାନଙ୍କ ନାମରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ୨୦୦୯ ଜୁନ ୨୦ ତାରିଖରେ ମାମଲା ରୁଜୁ ହୋଇଥିଲା । ଏନେଇ ଦୁଇ ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button