ନିର୍ବାଚନ ପୂର୍ବରୁ ରୋଡ ସୋ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆଜି ସେ ବାରଙ୍ଗରେ ମେଟ୍ରୋ ଟ୍ରେନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯିବା ବେଳେ ଏକ ରୋଡ ସୋ କରି ଯାଇଛନ୍ତି। ନବୀନ ପ୍ରଥମେ ଭୁବନେଶ୍ୱର ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ୍ ସୋ ରେ ଆସି ସେଠାରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ରୋଡ୍‌-ସୋ ରେ ଯାଇ କ୍ୟାପିଟାଲ ହସ୍ପିଟାଲ ଛକ, ୧୨୦ ବ୍ୟାଟାଲିୟାନ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ ଛକ, କିଟ୍ ଛକ, ନନ୍ଦନ ବିହାର ଓ ରଘୁନାଥପୁରଠାରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରୁ ସେ ବାରଙ୍ଗ ଛକ ଓ ଫୁଲପୋଖରୀ ଛକରେ ଲୋକଙ୍କୁ ଶୁଭେଚ୍ଛା ଜଣାଇ ବାରଙ୍ଗ ରତାଗଡଠାରେ ପହଞ୍ଚି ମେଟ୍ରୋ ରେଲ୍‌ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦେଇଥିଲେ ଏବଂ ଶେଷରେ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button