ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ୧୫୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକାମ୍ର ନିର୍ବାଚନମଣ୍ଡଳୀର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହିସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। ପ୍ରକଳ୍ପ ଗୁଡିକ ମଧ୍ୟରେ ୭୭.୭୪ କୋଟି ଟଙ୍କା ବ୍ୟୟରେ ଧଉଳି ଓ ଟିକରପଡା ଠାରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୨୨ କୋଟି ଟଙ୍କା ବ୍ୟୟରେ ଲିଙ୍ଗିପୁର, ଇଟିପୁର ଓ ଟିକରପଡା ଗ୍ରାମପଞ୍ଚାୟତର ଦୟା ଡାହାଣ ପାର୍ଶ୍ବ ନଦୀବନ୍ଧରେ ଦୁଇ ଥାକିଆ ରାସ୍ତା ନିର୍ମାଣ ପ୍ରକଳ୍ପ ରହିଛି। ସେହିପରି ୪୨.୫୫ କୋଟି ଟଙ୍କା ବ୍ୟୟରେ ବାସୁଆଘାଇର କାମେନା ଠାରେ ୬ଟି ଗ୍ରାମ ପଞ୍ଚାୟତ ବାସୀଙ୍କ ପାଇଁ ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ ଏବଂ ୧୭ କୋଟି ଟଙ୍କା ବ୍ୟୟରେ ଇଟିପୁର ଗ୍ରାମପଞ୍ଚାୟତରେ ଏକ ନୂତନ ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ନିର୍ମାଣ ପ୍ରକଳ୍ପ ରହିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏକାମ୍ର ନିର୍ବାଚନମଣ୍ଡଳୀର ଅଞ୍ଚଳବାସୀ ବହୁଳ ଭାବରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଏବଂ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button