୩୦ରେ ନାମାଙ୍କନ ଭରିବେ ରୁଦ୍ର

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନିମନ୍ତେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଆସନ୍ତା ୩୦ ତାରିଖ ଦିନ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାଯାଇଛି ।  ଆଜି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭୁବନେଶ୍ୱରସ୍ଥ ବାସଭବନରେ ଅନୁଷ୍ଠିତ ବୈଠକରେ ଏହି ସୂଚନା ମିଳିଛି ।  ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପିପିଲି ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡ଼ିର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ପର୍ୟ୍ୟବେକ୍ଷକ ଥିବା ପ୍ରତାପ ଦେବ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂ ଦେଓ, ବିଭୁତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।  ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ପାଇଁ ରୁଦ୍ର ମହାରାଥୀଙ୍କ ନାଁ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟଯେ, ଉପନିର୍ବାଚନ ପାଇଁ ପିପିଲିରେ ଦଳୀୟ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି । ଗତକାଲି ଅର୍ଥାତ ଶୁକ୍ରବାର  ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଯାଇ ପୁରୀ ଏଡିଏମଙ୍କ କାର‌୍ୟ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପଟେ କଂଗ୍ରେସ ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ୨୦୧୪ରେ ଆଶ୍ରୀତ ପିପିଲିରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ  । ସ୍ୱାଧୀନ ପ୍ରାର୍ଥୀ ହୋଇ ମଧ୍ୟ ସେ ୧୮ ହଜାର ଭୋଟ ପାଇଥିଲେ  । ଗତ ନିର୍ବାଚନରେ ସେ ବିଜେପିରୁ ଟିକେଟ ପାଇଥିବାବେଳେ ୭୨ ହଜାରରୁ ଅଧିକ ଭୋଟ ପାଇବାରେ ସମର୍ଥ ହୋଇଥିଲେ  । ତେବେ ବିଜେଡ଼ି ପ୍ରାର୍ଥୀ ଦିବଂଗତ ପ୍ରଦୀପ ମହାରଥି ୧୫ ହଜାର ଭୋଟରେ ଜିତିଥିଲେ  ।

Related Articles

Leave a Reply

Your email address will not be published.

Back to top button