କ୍ୱାକ୍‌ର ଭୁଲ୍ ଇଞ୍ଜେକ୍ସନରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ବର: କ୍ୱାକ୍‌ ଭୁଲ୍ ଇଞ୍ଜେକ୍ସନ୍ ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରୁ। ମୃତ ବ୍ୟକ୍ତିଙ୍କ ନାଁ ଶିବ ମହାନନ୍ଦ। ଆଜି ସକାଳେ ଶିବ ତାଙ୍କ ଘରେ ଟାଙ୍ଗିଆର ଏକ କାଠକୁ ଦୁଇ ଫାଳ କରୁଥିଲେ। ଏହି ସମୟରେ ଟାଙ୍ଗିଆ ତାଙ୍କ ଗୋଡ଼ରେ ବାଜିଥିଲା ଓ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଫଳରେ ପରିବାର ଲୋକେ ନିକଟସ୍ଥ ବାଗବାହାଲି ଗାଁର କ୍ୱାକ୍‌ ପ୍ରମୋଦ କୁମାର ମହାକୁରଙ୍କୁ ଖବର ଦେଇଥିଲେ। ସେ ଘରକୁ ଆସି ଶିବ ମହାନନ୍ଦଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ନେବା ପରେ ଶିବ ମହାନନ୍ଦ ସଙ୍ଗେ ସଙ୍ଗେ ଅଚେତ ହୋଇଯାଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଦେଖି କ୍ୱାକ୍ ପ୍ରମୋଦ କୁମାର ମହାକୁର ସେଠାରୁ ଫେରାର ହୋଇଯାଇଥିଲେ।ପରିବାର ଲୋକେ ଶିବ ମହାନନ୍ଦଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ୱାକ୍ ଭୁଲ୍‌ ଇଞ୍ଜେକ୍ସନ ଦେବା ଯୋଗୁ ଶିବ ମହାନନ୍ଦଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କଣ୍ଟାବାଞ୍ଜି ପୁଲିସ ଘଟଣାର ତଦନ୍ତ କରୁଛି।

Related Articles

Leave a Reply

Your email address will not be published.

Back to top button