ଜୟଲଳିତାଙ୍କ ରୂପରେ କଙ୍ଗନା

କଙ୍ଗନା ରାନାୱତଙ୍କ ଆଗାମୀ ସିନେମା ‘ଥଲାଇଭୀ’ର ଟ୍ରେଲର ୨୩ ମାର୍ଚ୍ଚ ତାଙ୍କ ଜନ୍ମଦିନ ଅବସରରେ ରିଲିଜ ହୋଇଛି। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉପହାର ଠାରୁ କମ ନୁହେଁ। ପୂର୍ବରୁ ‘ଥଲାଇଭୀ’ର ଟିଜର ଓ ଏହାର ପୋଷ୍ଟରରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ଜୟଲଳିତାଙ୍କ ରୂପରେ କଙ୍ଗନା ନିଜର ଦମଦାର ଲୁକ ଦେଖାଇଥିଲେ। ଠିକ ସେହିପରି ଟ୍ରେଲରରେ ମଧ୍ୟ ଜୟଲଳିତାଙ୍କ ଚରିତ୍ରରେ କଙ୍ଗନାଙ୍କ ମଜବୁତ ଅଭିନୟ ଦେଖିବାକୁ ମିଳୁଛି। ଜୟଲଳିତାଙ୍କ ଫିଲ୍ମ କ୍ୟାରିଅର ସହିତ ଟ୍ରେଲରର ଆରମ୍ଭ ହୋଇଛି। ଏହାପରେ ଜୟଲଳିତାଙ୍କ ରାଜନୈତିକ କ୍ୟାରିଅରର ଏକ ନୂଆ ଦିଗ ଦେଖିବାକୁ ମିଳୁଛି। ସଂସଦରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ତାଙ୍କ ସ୍ବାଭିମାନ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏହାପରେ ସେ କେବେ ବି ପଛକୁ ଫେରି ଚାହିଁ ନ ଥିଲେ। ଟ୍ରେଲରରେ କଙ୍ଗନା ଜୟଲଳିତାଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ବକୁ ଜୀବନ୍ତ କରିଥିବାର ଦେଖିବାକୁ ମିଳିଛି। ଟ୍ରେଲର ଦେଖି ଅନୁମାନ ଲଗାଯାଇପାରୁଛି ଯେ ଫିଲ୍ମର ସଂଳାପ ବଳିଷ୍ଟ ହୋଇଥିବ। ଟ୍ରେଲରରେ କଙ୍ଗନାଙ୍କୁ ଜୟଲଳିତାଙ୍କ ଭଳି ଚାଲିଚଳଣ, ବେଶଭୂଷା ଓ ଅନ୍ଦାଜରେ ଦେଖିବାକୁ ମିଳୁଛି। ଏହି ସାଢ଼େ ତିନି ମିନିଟର ଟ୍ରେଲରରେ କଙ୍ଗନା ନିଖୁଣ ଭାବେ ଜୟଲଳିତାଙ୍କ ଚରିତ୍ରକୁ ପରଦାରେ ଉପସ୍ଥାପିତ କରିବାକୁ ଚେଷ୍ଟା କରୁଥିବା ମନେହେଉଛି। ‘ଥଲାଇଭୀ’ର ଟ୍ରେଲର ଲଞ୍ଚ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା। କଙ୍ଗନାଙ୍କ ସମତେ ଫିଲ୍ମର ନିର୍ଦେଶକ ଏଏଲ ବିଜୟ, ଅରବିନ୍ଦ ସ୍ବାମୀ, ନାସିର, ଜିଭୀ ପ୍ରକାଶ, ସମୁଥ୍ରାକଣୀ, ଥାମ୍ବି ରମେୟା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ‘ଥଲାଇଭୀ’ର ନିର୍ଦେଶନା ଏଏଲ ବିଜୟ ଦେଇଛନ୍ତି। ଫିଲ୍ମ ୨୩ ଏପ୍ରିଲରେ ରିଲିଜ ହେବାକୁ ଯାଉଛି। ବହୁତ ଦିନ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ଦେଖିବା ଲାଗି କଙ୍ଗନାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଏହି ସିନେମାର ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ବେଶ ଭଲ ପ୍ରତିକ୍ରିୟାମାନ ଦେଉଥିବା ଦେଖିବାକୁ ମିଳୁଛି। କଙ୍ଗନାଙ୍କୁ ଏହି ସିନେମା ପାଇଁ ପଞ୍ଚମ ଜାତୀୟ ଫିଲ୍ମ ପୁରସ୍କାର ମିଳିବା ନିଶ୍ଚିତ ବୋଲି କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି।

Related Articles

Leave a Reply

Your email address will not be published.

Back to top button