ରାତି ୧୦ଟା ପରେ ଟୁଇନ୍‌ସିଟିରେ ବାଣ ଫୁଟାଇବା ମନା

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପରାମର୍ଶ ଅନୁଯାୟୀ କଟକଣା ଜାରି କରିଛି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ। ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍‌ସିଟିରେ ବାଣଫୁଟାକୁ ବନ୍ଦ କରାଯାଇଛି। ପୁଣି ୧୨ ଡେସିବିଲ୍‌ଠାରୁ ଅଧିକ ଶବ୍ଦର ବାଣ ଫୁଟାଇଲେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ସମସ୍ତେ ଗ୍ରୀନ୍‌ କ୍ରାକର ଫୁଟାଇବା ପାଇଁ ସହରବାସୀଙ୍କୁ ଅପିଲ କରିଛନ୍ତି। ସେହିପରି ବେଆଇନ ବାଣ ଫୁଟା ରୋକିବା ପାଇଁ ମଧ୍ୟ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି। ବିଶେଷକରି ଦୀପାବଳିରେ ବାଣ ଫୁଟାଇବା ସମୟରେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ସେହିପରି ପରିବେଶ ଉପରେ ଏହାର ଗଭୀର କୁପ୍ରଭାବ ପଡୁଛି। ତେଣୁ ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ସତର୍କ କରାଯାଇଛି। ସିଧାସଳଖ ହାତ ଦ୍ୱାରା ବାଣରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ। ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ। ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ। ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ। ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି। ସେହିପର ବାଣ ଦୋକାନ ଚାରିପଟେ ପଲିଥିନ ଓ ଦହନଶୀଳ ପଦାର୍ଥ ନ ରଖିବାକୁ ପରାମର୍ଶ ଦିଆଯାଇଛି। ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ ଦୂରତା ରଖିବେ। କୌଣସି ତେଲ, ଦୀପ, ଗ୍ୟାସ୍‌ ଦୀପ, ଖୋଲା ଲାଇଟ ବ୍ୟବହାର ନ କରିବାକୁ କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button