ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତର ବୃହତ ବିଜୟ

କୋଲକାତା: କୋଲକାତାସ୍ଥିତ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ର ୩୭ତମ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୨୪୩ ରନ୍‌ ବ୍ୟବଧାନରେ ବିଜୟ ହାସଲ କରିଛି। ଫଳରେ ଟିମ୍‌ ଇଣ୍ଡିଆ ୭ଟି ମ୍ୟାଚ ଖେଳି ୭ଟିରେ ଅପରାଜୟ ରହିା ସହ ୧୪ ପଏଣ୍ଟ ପାଇ ଟେବୁଲରେ ଶୀର୍ଷସ୍ଥାନ ବଜାୟ ରଖିଛି। ଏପରିକି ଭାରତ ବିଶ୍ୱକପ୍‌ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ହରାଇ ୩୨୬ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୭ .୧ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୮୩ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଜନ୍ମଦିନରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ଏପରିକି ସେ ସଚିନ ତେନ୍ଦୁଲକରଙ୍କ ଦିନିକିଆ ୪୯ତମ ଶତକ ସହ ସମକକ୍ଷ ହେବାର ଗୌରବ ହାସଲ କରି ମ୍ୟାଚ୍‌ରେ ପ୍ଲେୟର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଶ୍ରେୟାସ ଆୟର ୭୭ ରନ୍‌ କରିଥିବା ବେଳେ ରୋହିତ ଶର୍ମା ୪୦, ଶୁବମନ ଗିଲ ୨୩, କେ ଏଲ୍‌ ରାହୁଲ ୮, ସୂର୍ଯ୍ୟକୁମାର ଯାଦବ ୨୨ ରନ୍‌ କରିଥିଲେ। କୋହଲି ୧୨୧ ବଲ୍‌ରେ ୧୦୧ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୨୬ ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ୱିଣ୍ଟନ୍‌ ଡି କକ୍‌ ଏବଂ ଅଧିନାୟକ ଟେମ୍ବା ବଭୁମା ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କ୍ୱିଣ୍ଟନ୍‌ ୫ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ବଭୁମା ୧୧ ରନ୍‌ କରିଥିଲେ। ପରେ ଦଳପକ୍ଷରୁ କୌଣସି ବ୍ୟାଟର୍‌ କ୍ରିଜରେ ବେଶି ସମୟ ତିଷ୍ଠିପାରି ନ ଥିଲେ । ଦଳ ପକ୍ଷରୁ ମାର୍କୋ ଜାନସେନ ସର୍ବାଧିକ ୧୪ ରନ୍‌ କରିଥିବା ବେଳେ ରାସି ଭାନ୍‌ ଡର୍‌ ଦୁସେନ୍‌ ୧୩ ରନ୍‌ କରିଥିଲେ। ବାକି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ ସମସ୍ତ ଉଇକେଟ ହରାଇ ୮୩ ରନ୍‌ କରିଥିଲା। ଭାରତର ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ ଉଇକେଟ ନେଇଥିବା ବେଳେ ମହମ୍ମଦ ସାମି ଏବଂ କୁଳଦୀପ ଯାଦବ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ ଗୋଟିଏ ଉଇକେଟ୍‌ ନେବାରେ ସକ୍ଷମ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button