ଆଉ ୫ ବର୍ଷ ବଢିଲା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା

ରାୟପୁର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଉ ୫ ବର୍ଷ ପର୍ୟ୍ୟନ୍ତ ଦେଶର ଗରିବ ଲୋକଙ୍କୁ ମାସିକ ୫ କିଗ୍ରା ମହମ ଅବା ଚାଉଳ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏହି ଘୋଷଣା କରିଛନ୍ତି । ଏହି ଯୋଜନା ଆସନ୍ତା ଡିସେମ୍ବର ମାସରେ ଶେଷ ହୋଇଥାନ୍ତା । ତେବେ ଦେଶର ଗରିବ ମାନଙ୍କ ହିତକୁ ଦୃଷ୍ଟିରେ ରଖି ​ଏହାକୁ ପରବର୍ତ୍ତୀ ୫ ବର୍ଷ ପର୍ୟ୍ୟନ୍ତ ସମ୍ପ୍ରସାରିତ କରାଯିବ। ଛତିଶଗଡର ଦୁର୍ଗଠାରେ ଶନିବାର ଏକ ନିର୍ବାଚନୀ ସଭାରେ ଉଦ୍‌‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଏହି ଯୋଜନାରେ ଦେଶର ୮୦କୋଟି ଗରିବ ଲୋକଙ୍କୁ ମାସିକ ୫ କିଲୋଗ୍ରାମ ଲେଖାଏଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ଶ୍ରୀ ମୋଦୀ କହିଛନ୍ତି ବିଜେପି ସରକାର ଗରିବମାନଙ୍କ କଲ୍ୟାଣକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି । ସେ କହିଛନ୍ତି ତାଙ୍କ ପାଇଁ ଦେଶର ସବୁଠୁ ବଡ ଜାତି ହେଉଛି ଗରିବ ଜାତି। ବିରୋଧୀ ଦଳ ମାନେ ଗରିବ ଲୋକମାନଙ୍କ ଏକତାକୁ ଭଙ୍ଗ କରିବାକୁ ପ୍ରୟାସ କରୁଥିବାର ସେ ଆରୋପ ଲଗାଇଛନ୍ତି । ଛତିଶଗଡରେ ପ୍ରବର୍ତ୍ତନ ନିର୍ଦେଶାଳୟ ଗ୍ରହଣ କରିଥିବା କାର୍ୟ୍ୟନୁଷ୍ଠାନ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଛତିଶଗଡର କଂଗ୍ରେସ ସରକାର ଓ ମୁଖ୍ୟମନ୍ତ୍ରୀ ମହାଦେବ ଆପ୍‌‌ ସହ ସେମାନଙ୍କର ସମ୍ପର୍କ ବିଷୟରେ ସ୍ପଷ୍ଟିକରଣ ଦେବା ଆବଶ୍ୟକ। ରାଜ୍ୟର କଂଗ୍ରେସ ସରକାର କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ଓ ରାଜ୍ୟା ଜନସାଧାରଣ କଂଗ୍ରେସ ସରକାରର ଦୁର୍ନୀତି ଯୋଗୁଁ ବିତସ୍ପୃହ ହୋଇପଡିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button