ଓଡ଼ିଶାରେ ୪୦ଟି ପେପରଲେସ୍ କୋର୍ଟ ଉଦ୍‌ଘାଟିତ

କଟକ: ଓଡ଼ିଶାର ନ୍ୟାୟ ବ୍ୟବସ୍ଥାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ରାଜ୍ୟରେ ୪୦ଟି ପେପରଲେସ୍ କୋର୍ଟକୁ କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଉଦ୍‌ଘାଟନ କରିଛନ୍ତି। ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ କାର୍ୟ୍ୟକାରୀ ମୁଖ୍ୟ ବିଚାରପତି କହିଛନ୍ତି ଯେ ପଞ୍ଚମ ପର୍ୟ୍ୟାୟରେ ଏହି ୪୦ଟି ପେପରଲେସ୍ କୋର୍ଟ ଉଦଘାଟିତ ହେବା ପରେ ଓଡ଼ିଶାର ନ୍ୟାୟ ବ୍ୟବସ୍ଥା ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଏହି କ୍ଷେତ୍ରରେ ପୂର୍ବତନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ପଦକ୍ଷେପ ଉଲ୍ଲେଖନୀୟ। ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ ଏସ. ମୁରଲୀଧରଙ୍କ ଉଦ୍ୟମ ଯୋଗୁଁ ବିଚାରବିଭାଗରେ ପ୍ରଯୁକ୍ତିଜ୍ଞାନ ଓ କୌଶଳ ଉପେଯାଗ କରିବା କ୍ଷେତ୍ରରେ ଦେଶର ପ୍ରମୁଖ ରାଜ୍ୟ ଓଡ଼ିଶା ହୋଇ ପାରିଛି ଓ ଏହି ପ୍ରସଂଗକୁ ଭାରତର ପ୍ରଧାନ ବିଚାରପତିଙ୍କ ସ୍ବୀକୃତି ମିଳିଛି। ସମଗ୍ର ବିଚାରବିଭାଗ ପେପରଲେସ୍ ଲକ୍ଷ୍ୟ ହାସଲ ପର୍ୟ୍ୟନ୍ତ ପ୍ରତି ମାସରେ ଅଧିକରୁ ଅଧିକ କୋର୍ଟ ପେପରଲେସ୍ ହେବ ବୋଲି କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଏହି ଅବସରରେ ଘୋଷଣା କରିଥିଲେ। ହାଇକୋର୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଆଇଟି କମିଟି ଅଧ୍ୟକ୍ଷ ଜଷ୍ଟିସ କୃଷ୍ଣ ରାମ ମହାପାତ୍ର ଗରିବଙ୍କ ସୁବିଧା ପାଇଁ ବିଚାରବିଭାଗରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ୨୦୨୨, ସେପ୍ଟେମ୍ବର ୧୭ରେ ୩୦ଟି ଜିଲ୍ଲାରେ ୩୪ଟି ପେପରଲେସ୍ କୋର୍ଟ ଭାରତର ପ୍ରଧାନ ବିଚାରପତି ଉଦଘାଟନ କରିଥିଲେ। ୨୦୨୩, ମେ ୫ ଓ ୬ରେ କଟକରେ ଡିଜିଟାଇଜେସନ, ଇ-ଇନିସିଏଟିଭ୍, ଓ ପେପରଲେସ୍ କୋର୍ଟ ଉପରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ତିନି ମାସ ଭିତରେ ରାଜ୍ୟରେ ଆଉ ଶହେଟି ପେପରଲେସ୍ କୋର୍ଟ ଖୋଲିବ ବୋଲି ହାଇକୋର୍ଟ ପକ୍ଷରୁ ତତ୍କାଳୀନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର କଥା ଦେଇଥିଲେ। ଅଗଷ୍ଟ ସୁଦ୍ଧା ୧୦୦ଟି ପେପରଲେସ୍ କୋର୍ଟ ଉଦଘାଟିତ ହୋଇଥିଲା। ଏହି କାର୍ୟ୍ୟ ଜାରି ରହିବା ସହିତ ‌୨୦୨୩, ସେପ୍ଟେମ୍ବରରେ ଆଉ ୨୫ଟି ପେପରଲେସ୍ କୋର୍ଟ ଉଦଘାଟିତ ହୋଇଥିଲା। ମଙ୍ଗଳବାର ୪୦ଟି ପେପରଲେସ୍ କୋର୍ଟ ଉଦଘାଟିତ ହେବା ସହିତ ରାଜ୍ୟର ଜିଲ୍ଲା ବିଚାରବିଭାଗର ପେପରଲେସ୍ କୋର୍ଟ ସଂଖ୍ୟା ୧୯୯ରେ ପହଞ୍ଚିଛି।

Related Articles

Leave a Reply

Your email address will not be published.

Back to top button