ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସାହାଯ୍ୟ ପଠାଇଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ପାଲେଷ୍ଟାଇନୀୟମାନଙ୍କୁ ମାନବିକ ସହାୟତା ପଠାଇଛି। ଭାରତୀୟ ବାୟୁସେନାର ସି-୧୭ ବିମାନ ପ୍ରାୟ ୬.୫ ଟନ୍ ମେଡିକାଲ୍ ଏବଂ ୩୨ ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ନେଇ ଇଜିପ୍ଟର ଏଲ୍-ଆରିଶ ବିମାନବନ୍ଦରକୁ ଯାତ୍ରା କରିଛି। ଆଜି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି। ଅରିନ୍ଦମ ବାଗଚି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି। ଭାରତ ପଠାଇଥିବା ରିଲିଫ୍ ସାମଗ୍ରୀରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ଟେଣ୍ଟ୍, ଶୋଇବା ବ୍ୟାଗ୍, ଟାରପଲିନ୍, ପରିମଳ ସୁବିଧା, ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ଗାଜାରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଲେଷ୍ଟାଇନବାସୀଙ୍କୁ ସହାୟତା ସାମଗ୍ରୀ ପଠାଇବାକୁ ବିଶ୍ୱର ଅନେକ ଦେଶ ନିବେଦନ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସିଙ୍କୁ ଡାକି ସୀମା ଖୋଲିବାକୁ ନିବେଦନ କରିଛନ୍ତି ଯାହା ଦ୍ଵାରା ସେଠାରେ ଥିବା ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ। ଏହା ପରେ ଗାଜାରେ ପ୍ରାୟ ୨୦ ଟ୍ରକ ମାନବିକ ସହାୟତା ଯୋଗାଇ ଦିଆଯାଇଛି। ଏହାପୂର୍ବରୁ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୧୯ ତାରିଖ, ଗୁରୁବାର ଦିନ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଗାଜାର ଅଲ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଅଲ ଅହଲି ହସ୍ପିଟାଲରେ ହୋଇଥିବା ବିମାନ ଆକ୍ରମଣରେ ପ୍ରାୟ ୫୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

Related Articles

Leave a Reply

Your email address will not be published.

Back to top button