ଏକ ନମ୍ବର ହାଟ ବନ୍ଦ

ଭୁବନେଶ୍ୱର: ଗାଡ଼ି ପାର୍କିଂକୁ କେନ୍ଦ୍ରକରି ୟୁନିଟ୍‌‌-୧ ମାର୍କେଟରେ ଉତ୍ତେଜନା ଦେଖାଦେଇଛି। ଉଭୟ ଉଠାଦୋକାନୀ ଓ ଭେଣ୍ଡିଂ ଜୋନ୍‌‌ ଏବଂ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରିଥିଲା। ପରେ ଉଭୟ ପକ୍ଷରୁ ଥାନା ସାମ୍ନାରେ ଧାରଣା ଦେଇଥିଲେ। ଏହାପର ଠାରୁ ୟୁନିଟ୍‌‌-୧ ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦରହିଛି। ଫଳରେ ପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସୁଥିବା ଲୋକେ ହଟହଟା ହୋଇ ଫେରୁଛନ୍ତି।

ୟୁନିଟ-୧ ମାର୍କେଟ ବାହାରେ ଭୂତଳ ମାର୍କେଟ ନିକଟସ୍ଥ ଫୁଟ୍‌‌ପାଥରେ ଉଠାଦୋକାନୀମାନେ ଦୋକାନ ଖୋଲିଥିଲେ।  ଉକ୍ତ ଫୁଟପାଥ୍‌‌ରେ ସ୍ଥାୟୀ ଦୋକାନୀମାନଙ୍କ ପକ୍ଷରୁ ଗାଡ଼ି ପାର୍କିଂ କରାଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଉଭୟପକ୍ଷ ନିଜ ନିଜର ଯୁକ୍ତି ବାଢ଼ିଥିଲେ। ପରେ ଉଭୟ ପକ୍ଷରୁ ଥାନା ଘେରାଉ କରିବାରୁ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା। ପୁଲିସ ଉପସ୍ଥିତିରେ ବିଏମ୍‌‌ସି ଏବଂ ଉଭୟପକ୍ଷ ସହ ଆଲୋଚନା ହେବ ବୋଲି କୁହାଯିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ହେଲେ ଏହାର ସ୍ଥାୟୀ ସମାଧାନ ନ ହେବା ପର୍ୟ୍ୟନ୍ତ ୟୁନିଟ୍‌‌-୧ର ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଭଭୟପକ୍ଷ ନିଜ ଜିଦ୍‌‌ରେ ଅଟଳ ରହିଛନ୍ତି।

Related Articles

Leave a Reply

Your email address will not be published.

Back to top button