କଟକ ଚୌଧୁରୀ ବଜାର ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୬ ଘଣ୍ଟା ପରେ ନିଆଁ ଆୟତ

କଟକ: ଆଜି ସକାଳେ କଟକ ଚୌଧୁରୀ ବଜାରର ଏକ ଶାଢୀ ଦୋକାନରେ ଭୟାବହ ଅଗ୍ନିକାଣ ଘଟିଯାଇଛି। ତିନୋଟି ଦମ କଳ ଲାଗି ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିଲା। ଫଳରେ ହାଇଡ୍ରୋଲିକ ଦମକଳ ସାହାଯ୍ୟରେ ଏହି ନିଆଁକୁ ଆୟତ କରାଯାଇଥିଲା। ଏହି ନିଆଁ ଯୋଗୁଁ ପୁରା ବଜାର ଧୂଆଁମୟ ହୋଇପଡିଥିଲା। ଲୋକମାନେ ଭୟଭିତ ହୋଇପଡିଥିଲେ।

ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଚୌଧୁରୀ ବଜାରରେ ଏକ ପାଞ୍ଚ ମହଲା ଦୋକାନର ତଳ ମହଲାରେ ନିଆଁ ଦେଖାଯାଉଥିଲା। ଲୋକେ ଦମକଳକୁ ଫୋନ କରୁକରୁ ନିଆଁ ତୀବ୍ର ବେଗରେ ବ୍ୟାପି ଯାଇଥିଲା। ତୃତୀୟ ମହଲାରେ ଏହି ନିଆଁ ତୀବ୍ର ଆକାରର ଧାରଣ କରିଥିଲା। ସେହି ଦୋକାନରେ କେବଳ ଶାଢୀ ଥିବାରୁ ସେଥିରେ ନିଆଁ ଲାଗି ପୁରା ବଜାରକୁ ଧୂଆଁମୟ କରିଦେଇଥିଲା।

ଅଗ୍ନିଶମ ବିଭାଗର ପ୍ରଥମେ ଗୋଟିଏ ଗାଡି ପରେ ଆଉ ଗୋଟିଏ ଗାଡି ଆସି ଏହା ଲିଭାଇବାରେ ନିୟୋଜିତ ହୋଇଥିଲା। ପ୍ରଥମେ କର୍ମଚାରୀମାନେ ନିଶୁଣୀ ସାହାଯ୍ୟରେ ଉପରକୁ ଉଠି ଦୋକାନ ଗ୍ଲାସ ଭାଙ୍ଗି ଭିତରକୁ ପାଣି ପକାଇଥିଲେ। ହେଲେ ଦୀର୍ଘ ସମୟ ଧରି ତାହା ଲିଭି ନ ଥିଲା। ଏପରିକି ନିଆଁର ପ୍ରକୋପ ଅଧିକ ହେବାରୁ କର୍ମଚାରୀମାନେ ନିଶୁଣି ଉପରେ ଛିଡା ହୋଇ କିଛି କରିପାରି ନ ଥିଲେ।

ସେମାନେ ତଳକୁ ଆସି ପୁଣି ଥରେ ଦୂରରୁ ପାଣି ସ୍ପ୍ରେ କରିଥିଲେ। ତଥାପି ନିଆଁ ନ ଲିଭିବାରୁ ହାଇଡ୍ରୋଲିକ ଦମକଳକୁ ଘଟଣା ସ୍ଥଳକୁ ଅଣାଯାଇଥିଲା। ଏହା ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା। ଏହାକୁ ଆୟତ କରିବା ପାଇଁ ପ୍ରାୟ ୬ ଘଣ୍ଟା ସମୟ ଲାଗିଯାଇଥିଲା। ତେବେ ନିଆଁର ପ୍ରକୋପ ଏପରି ଥିଲା ଯେ, ତା ପାଖ ଦୋକାନକୁ ଏହା ବ୍ୟାପିବାର ଭୟ ରହିଥିଲା। ହେଲେ ସୌଭାଗ୍ୟ ବସତଃ ତାହା ଆଉ କୁଆଡେ ମାଡି ନ ଥିଲା।

ଆସନ୍ତା ପୂଜା ପାଇଁ ଦୋକାନୀ ନୂଆ ଶାଢୀ ଆଣି ବିକ୍ରି ପାଇଁ ରଖିଥିଲେ। ତାହା ତୃତୀୟ ମହଲାରେ ମହଜୁଦ ଥିଲା। ହେଲେ ଏହି ପାଞ୍ଚ ମହଲା କୋଠାର ଏହି ତୃତୀୟ ମହଲା ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଆଉ ତଳ ଦୁଇଟି ମହଲା ଆଂଶିକ କ୍ଷତି ହୋଇଥିବାର ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି। ତେବେ ଅଗ୍ନୀଶମର ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବାର ଜାଣାପଡିଛି।

Related Articles

Leave a Reply

Your email address will not be published.

Back to top button