ସର୍ବଦଳୀୟ ବୈଠକ ପାଇଁ ନବୀନଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର:  ନବୀନ ନିବାସରେ ପଶିଲା ଚାଷୀ ତାତି । ପ୍ରଥମେ ବିଧାନସଭାରୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ ବିଜେପି ସଦସ୍ୟ । ଏହା ପରେ ନବୀନ ନିବାସ ଗେଟ ବନ୍ଦ କରିବାକୁ ନେଇ ଧାରଣାରେ ବସିଥିଲେ । ଦୀର୍ଘ ସମୟ ଧରି ଚାଲିଥିଲା ହାଇଡ୍ରାମା । ଶେଷରେ ମୁଖ୍ୟମନ୍ତ୍ରୀ ନିଜେ ଧାରଣାସ୍ଥଳକୁ ଆସିବା ସହ ବିଜେପି ସଦସ୍ୟଙ୍କୁ ଆଲୋଚନା ପାଇଁ ଡାକିଥିଲେ । ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଶେଷ ହୋଇଛି । ଖାସକରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଯେଉଁ ରାଜନୈତିକ ବୟାନବାଜି ଚାଲିଥିଲା ତାହାକୁ ଏକପ୍ରକାର ଆଲୋଚନା ମାଧ୍ୟମରେ ଶେଷ କରିଛନ୍ତି ନବୀନ । କିଭଳି ବିଧାନସଭା ସୁରୁଖୁରୁ ଚାଲିବ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ପ୍ରତିଶ୍ରୁତି ନବୀନ ଦେଇଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇନଥାନ୍ତୁ । ମୁଖ୍ୟମନ୍ତ୍ରୀ ଡାକିବାରୁ ଆମେ ଭିତରକୁ ଯାଇଥିଲୁ । କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ପ୍ରଦୀପ୍ତ । ବିଜେପିର ନବୀନ ନିବାସ ଯାତ୍ରାକୁ ନେଇ ପ୍ରତାପ କହିଥିଲେ, ନବୀନ ନିବାସ ହେଉଛି ପବିତ୍ର ସ୍ଥଳ, ଏଠାକୁ ଆସିଲେ ବିରୋଧୀ ଦଳ ନେତାଙ୍କର ପାପ ଧୋଇଯିବ । । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି ।  ଅନ୍ୟପଟେ ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ ବୋଲି କହିଛନ୍ତି ବିଷ୍ଣୁ ସେଠୀ ।

ପ୍ରକାଶଯେ, ଗତ କିଛିଦିନ ହେଲା ବିଧାନସଭା ଭିତରେ ହାଇଡ୍ରାମା ଚାଲିଥିବାବେଳେ ଏବେ ବିଧାନସଭା ବାହାରେ ବି ସେହିଭଳି ହାଇଡ୍ରାମା ଦେଖିବାକୁ ମିଳିଛି । ଆଜି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରିଥିବାବେଳେ ବିଜେପି ସଦସ୍ୟମାନେ ନିବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ  । ଅନ୍ୟପକ୍ଷରେ ବିଜେଡି ସସଦସ୍ୟମାନେ ମଧ୍ୟ ବିଜେପି ସଦସ୍ୟଙ୍କ ସହ ନବୀନ ନିବାସ ଅଭିମୁଖେ ଯାଇଥିଲେ । ସେହିପରି ବିଜେପି ସଦସ୍ୟଙ୍କୁ ସ୍ୱାଗତ କରିବା ପାଇଁ ବିଜେଡିର ମହିଳା କର୍ମୀମାନେ ନବୀନ ନିବାସ ପାଖରେ ଉପସ୍ଥିତଥିଲେ।  ବିଧାନସଭା ଅଚଳ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସଦସ୍ୟ ଭେଟିବାକୁ ଯାଇଥିଲେ। ବିଧାନସଭାରୁ ଏକ ଶୋଭାଯାତ୍ରାରେ ବାହାରି ବିଜେପି ବିଧାୟକ ଯାଇଥିଲେ  । ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ହାତରେ ପ୍ଲାକାର୍ଡ ଧରି ଯାତ୍ରା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ଖୋଜିବାକୁ ଯାଉଛୁୁ ବୋଲି କହିଥିଲେ ଜୟନାରାୟଣ । ତାଙ୍କୁ ଖୋଜିବୁ, ଯେଉଁଠି ପାଇବୁ, ପଚାରିବୁ କହିଥିଲେ ଜୟନାରାୟଣ । ରାଜନୈତିକ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ  ରାଜ୍ୟ ବୁଲୁଛନ୍ତି, ବିଧାନସଭା କାହିିଁକି  ଆସୁନାହାଁନ୍ତି ବୋଲି ଜୟନାରାୟଣ କହିଥିଲେ । ତେବେ ବିଜେପି ସଦସ୍ୟମାନେ ନବୀନ ନିବାସ ସମ୍ମୁଖରେ ପହଁଚିବା ପରେ ସୁରକ୍ଷାକର୍ମୀମାନେ ନବୀନ ନିବାସ ଗେଟ୍କୁ ବନ୍ଦ କରିଦେଇଥିଲେ । ଏହାକୁ ବିରୋଧ କରି ବିଜେପି ସଦସ୍ୟମାନେ ନବୀନ ନିବାସ ସମ୍ମୁଖ ରାସ୍ତା ଉପରେ ଧାରଣା ଦେଇଥିଲେ । ବିଜେଡି ସଦସ୍ୟମାନେ ସେମାନଙ୍କୁ ଧାରଣାରୁ ଉଠେଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ମୁଖ୍ୟମନ୍ତ୍ରୀ ବାହାରକୁ ଆସି ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ବିଜେପି ସଦସ୍ୟମାନେ ଅଡି ବସିଥିଲେ । ତେବେ ଶେଷରେ ନବୀନ ପଟ୍ଟନାୟକ ଧାରଣାସ୍ଥଳକୁ ଆସି ଧାରଣାରତ ବିଜେପି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।  ଧାରଣାରତ ବିଜେପି ସଦସ୍ୟଙ୍କ ପାଖକୁ  ମୁଖ୍ୟମନ୍ତ୍ରୀ ଆସିଥିଲେ  । ନବୀନ ନିବାସରୁ ବାହାରି ଗେଟ୍ ସାମ୍ନା ଧାରଣା ସ୍ଥଳକୁ ଆସି ଧାରଣାରତ ବିଜେପି ସଦସ୍ୟଙ୍କ ସହ କଥା ମଧ୍ୟ ହୋଇଥିଲେ  । ଭିତରକୁ ଯାଇ ଆଲୋଚନା କରିବାକୁ  ଧାରଣାରତଙ୍କୁ ମୁଖ୍ୟମନ୍ତ୍ରୀ ଡାକିଥିଲେ  ।

Related Articles

Leave a Reply

Your email address will not be published.

Back to top button