ଛାତ୍ର ସଂସଦ ନିର୍ବାଚନ: କୋର୍ଟ ଯିବ ବିଜେପି

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଲଗାତାର ୬ଷ୍ଠ ବର୍ଷ ପାଇଁ ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।  ତେବେ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏହା ବିରୋଧରେ ଆଇନଗତ ଲଢେଇ ଲଢିବାକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।  ଛାତ୍ର ସଂସଦ ନିର୍ବାଚନ କରାଇବାକୁ ଜନସ୍ୱାର୍ଥ ମାମଲା ଦାଏର କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ୟାମ୍ପସରୁ ଛାତ୍ରନେତା ନବାହାର କରିବାକୁ ଏହା ରାଜ୍ୟ ସରକାରଙ୍କ ଏକ ଷଡ଼ଯନ୍ତ୍ର । ନିର୍ବାଚନ ହେଲେ ବିଜେଡିକୁ ଅଡ଼ୁଆ ହେବ । କ୍ୟାମ୍ପସରେ ଠିକା କାମ କରିବା ପାଇଁ ବିଜେଡିର ଏହା ଏକ ଚକ୍ରାନ୍ତ ବୋଲି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଅଭିଯୋଗ କରିଛନ୍ତି । ପ୍ରକାଶ ଯେ ଚଳିତ ବର୍ଷ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ବିଭାଗର ଏକାଡେମିକ ତାଲିକାରେ ନିର୍ବାଚନ ନଥିବାରୁ ହେବନାହିଁ ନିର୍ବାଚନ। ୨୦୧୮ରୁ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ।  ଶିକ୍ଷା ଅନୁଷ୍ଠାନରେ ନିର୍ବାଚନ ହେବା ଦ୍ଵାରା ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ପାଠପଢ଼ାରେ ବାଧା ସୃଷ୍ଟି ହୁଏ। ସଠିକ୍ ସମୟରେ ୟୁଜି ଓ ପିଜି ପିଲାଙ୍କ ରେଜଲ୍ଟ ପ୍ରକାଶ ପାଏ ନାହିଁ। ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ହେଲେ କ୍ୟାମ୍ପସ କମିଟି ଏବେ ବି ଜାରି ରହିଛି। ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ବିଜୁ ଛାତ୍ର ଜନତା ଦଳ ସ୍ବାଗତ କରୁଛି ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ।

Related Articles

Leave a Reply

Your email address will not be published.

Back to top button