ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଠାରୁ ୧୪ଲକ୍ଷ ଟଙ୍କା ଲୁଟ୍‌

ଭୁବନେଶ୍ୱର :  ବର୍ତ୍ତମାନ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋ‌ଷ୍ଠୀଙ୍କ ଅଧିକ ସକ୍ରିୟତାରୁ ଫାଇଦା ଉଠାଇବାକୁ ଏକ ଅଭି‌ନବ ଠକେଇ ଆରମ୍ଭ ହୋଇଛି। ମହିଳାଙ୍କୁ ଘରେ ବସି ମାସିକ ୧୦-୨୦ ହଜାର ଟଙ୍କାର ଆୟର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିନେଇଛନ୍ତି। ଏହିଭଳି ଠକିବା ଅଭିଯୋଗ ଅନୁସାରେ, ଇନଫୋଭେଲି ଥାନା ଅନ୍ତର୍ଗତ ପାଇକରାପୁର ଜାଗସରାର ଅରୁନ୍ଧତୀ ବିହାରର ପ୍ଲଟ ନଂ ୯/୧୦ରେ ଇୟୁନୋଇଆ ୟୁନାଇଟେ୍‌ କମ୍ପାନି ନାମକ ଏକ କମ୍ପାନି ରହିଛି। ଏହି କମ୍ପାନିର ଅନୀଲ ସାହୁ (୩୦) ନାମକ ଜଣେ ଯୁବକ ଖୋର୍ଦ୍ଧା ବ୍ଲକ ନିଜିଗଡ଼ ତାପଙ୍ଗରେ ମହିଳାଙ୍କୁ ନେଇ ଏକ ବୈଠକ କରିଥିଲା। ବୈଠକରେ ଘରେ ବସି ଫିନାଇଲ୍‌, ପାମ୍ପଡ଼ ଆଦି ପ୍ରସ୍ତୁତ କରି ଦେଲେ ସେମାନଙ୍କୁ ମାସକୁ ୧୦ରୁ ୨୦ ହଜାର ଏପରିକି ୩୦ହଜାର ଟଙ୍କା ଆୟ ହୈବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହି ବାବଦକୁ ସେ ପ୍ରତି ମହିଳାଙ୍କ ଠାରୁ ସୁରକ୍ଷା ଅର୍ଥ ବାବଦରେ ୨ହଜାରରୁ ୫୦ ହଜାର ଟଙ୍କା ମାଗିଥିଲା।

ପ୍ରଥମେ ଦୁଇତିନିଜଣ ମହିଳା ଏଥିରେ ଯୋଗ ଦେଇଥିଲେ। ସେମାନଙ୍କୁ ପ୍ରତିଶ୍ରୁତି ମୁତାବକ ପ୍ରଥମ ଦୁଇ ମାସ ମାସକୁ ୪-୫ ହଜାର ଟଙ୍କା ଦରମା ଦେଇଥିଲା। ଏହାଦେଖି ଅନ୍ୟ ମହିଳାମାନେ ମଧ୍ୟ ଟଙ୍କା ଜମା ଦେଇଥିଲେ। ଏଭଳି ‌ନିଜିଗଡ଼ ତାପଙ୍ଗରୁ ୫ଲକ୍ଷ ଟଙ୍କା ଆଦାୟ କରିଥିଲା। ଏହାପରେ ଆଉ ମହିଳାଙ୍କ ଫୋନ୍‌ଉଠାଇନଥିଲା କି ତାଙ୍କ ସହ ଯୋଗାଯୋଗ କରିନଥିଲା। ଏଭଳି ଠକାମୀର ଶିକାର ହୋଇଥିବା ନିଜିଗଡ଼ ତାପଙ୍ଗର  ଶୁଭାଙ୍ଗୀ ପାଲଟାସିଂହ ଗତ ୯ ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଭିତ୍ତିରେ ଥାନା ପୁଲିସ ଅନିଲକୁ ଧରି ପଚରାଉଚୁରା ଆରମ୍ଭ କରିଥିଲା। ପଚରାଉଚୁରାରେ ଅନିଲ କେବଳ ନିଜିଗଡ଼ ତାପଙ୍ଗ ନୁହେଁ ନିରାକାରପୁରରୁ ୫୦ହଜାର ଟଙ୍କା, ନୟାଗଡ଼ରୁ ୧ଲକ୍ଷ ୮୦ହଜାର,  ବନମାଳିପୁରରୁ କୋଡିଏ ହଜାର, ଜଗତସିଂହପୁର ନାଉଗାଁ ଓଜାମୁଦଣ୍ଡାରୁ ୫ଲକ୍ଷ ଟଙ୍କା, ଇନ୍‌ଫୋଭେଲିରୁ ୧ଲକ୍ଷଟଙ୍କା, ପୁରୀ ଡେଲାଙ୍ଗରୁ ୮୦ହଜାର ଟଙ୍କା, ସୁନ୍ଦରପଦା ଓଜଗତପୁରରେ ମଧ୍ୟ ଗତ କିଛି ଦିନ ପୂର୍ବେ ଟଙ୍କା ଆଦାୟ କରିଥିବା ସ୍ବୀକାର କରିଛି। ଆଜି ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଥିବା ଓ ଥାନାକୁ ଆସିଲେ ଟଙ୍କା ମିଳିଯିବ ବୋଲି ମୋବାଇଲ୍‌ରେ କେହି ଜଣେ ମେସେଜ ଦେବାରୁ ଠକାମୀରେ ଶିକାର ହୋଇଥିବା ୧୫ରୁ ଊର୍ଦ୍ଧ୍ବ ମହିଳା ସଦର ଥାନାରେ ପହଞ୍ଚିଥିଲେ।

Related Articles

Leave a Reply

Your email address will not be published.

Back to top button