ଏସିଆ କପ୍‌: ଆଜି ଭାରତ-ନେପାଳ ମୁକାବିଲା

ନୂଆଦିଲ୍ଲୀ: ଚଳିତ ଏସିଆ କପ୍‌ର ଲିଗ୍ ପର୍ୟ୍ୟାୟରେ ସମସ୍ତ କ୍ରିକେଟ୍‌ପ୍ରେମୀଙ୍କ ନଜର ଥିଲା ଭାରତ-ପାକିସ୍ତାନ ମୁକାବିଲା ଉପରେ। କାରଣ ଗ୍ରୁପ୍‌ ‘ଏ’ରୁ କେଉଁ ୨ଟି ଦଳ ସୁପର-୪ରେ ପହଞ୍ଚିବେ; ତାହା ଆଗରୁ ଜଣାଥିଲା। ତେବେ ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମୁକାବିଲାର ଫଳାଫଳ ବାହାରି ପାରିନାହିଁ। ସୋମବାର କ୍ରିକେଟ୍‌ ଜଗତର ଶିଶୁ ପଡ଼ୋଶୀ ନେପାଳ ବିପକ୍ଷରେ ଭାରତ ୨ୟ ଲିଗ୍‌ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଅପେକ୍ଷା କ୍ରିକେଟ୍‌ପ୍ରେମୀ ଭାରତ-ପାକିସ୍ତାନ ସୁପର-୪ ମ୍ୟାଚ୍‌ କଥା ଏବେଠାରୁ ଆରମ୍ଭ କରିଦେଲେଣି। ତଥାପି ଔପଚାରିକତା ପୂରଣ ପାଇଁ ନେପାଳ ବିପକ୍ଷରେ ଭାରତ ଖେଳିବ। ଉଦ୍‌ଘାଟନୀ ମ୍ୟାଚ୍‌ରେ ନେପାଳକୁ ୨୩୮ ରନ୍‌ରେ ପରାସ୍ତ କରିଥିଲା ପାକିସ୍ତାନ। ଭାରତ ବିପକ୍ଷ ବାତିଲ ମ୍ୟାଚ୍‌ରୁ ୧ ପଏଣ୍ଟ ପାଇ ପାକିସ୍ତାନ ସୁପର-୪ରେ ପହଞ୍ଚି ସାରିଛି। ନେପାଳକୁ ହରାଇଲେ ଭାରତ ସୁପର-୪ରେ ପହଞ୍ଚିବ। ଏହି ମ୍ୟାଚ୍‌ ଯଦି ବର୍ଷା ଯୋଗୁଁ ବାତିଲ ହୁଏ; ତଥାପି ୧ ପଏଣ୍ଟ ପାଇଥିବା ଭାରତ ସୁପର-୪ରେ ପହଞ୍ଚିବ। ଯୋଗ୍ୟତା ପର୍ୟ୍ୟାୟରେ ଭଲ ପ୍ରଦର୍ଶନ କରି ନେପାଳ ପ୍ରଥମଥର ଏସିଆ କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ହେଲେ ଅଦ୍ୟାବଧି ଭାରତ ବିପକ୍ଷରେ ଏହା ମ୍ୟାଚ୍‌ ଖେଳିନାହିଁ। ଭାରତକୁ ହରାଇବା ନେପାଳ ପାଇଁ କଷ୍ଟକର ନିଶ୍ଚୟ। ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରି ଏକତରଫା ଭାବେ ନ ହାରି ଲଢ଼େଇ କରିପାରିଲେ ଖୁସିମନରେ ସ୍ବଦେଶ ଫେରିବ।

Related Articles

Leave a Reply

Your email address will not be published.

Back to top button