ଗ୍ୟାସ ସିଲିଣ୍ଡର ପରେ ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ନିକଟ ଅତୀତରେ ଏଲପିଜି ଦର ହ୍ରାସ କରାଯାଇଛି। ଭାରତ ସରକାରଙ୍କ ଏହି ପଦକ୍ଷେପ ମୁଦ୍ରାସ୍ଫୀତିକୁ ହ୍ରାସ କରିପାରିବ। କିଛି ପ୍ରମୁଖ ପର୍ବପର୍ବାଣୀ ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇପାରେ। ଏବେ ମୁଦ୍ରାସ୍ଫୀତି ଆହୁରି କମାଇବା ସହ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି। ଦୁଇଟି ସ୍ଥାନରୁ ଏହାର ସଙ୍କେତ ମିଳୁଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଏକ ସାକ୍ଷାତ୍‍କାରରୁ ଏହାର ପ୍ରଥମ ସଙ୍କେତ ମିଳିଛି। ଏଥିସହିତ ବ୍ଲୁମବର୍ଗର ରିପୋର୍ଟରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନେଇ ସଙ୍କେତ ଦିଆଯାଇଛି। ସୂଚନାଯୋଗ୍ୟ, ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ଆଶ୍ୱସ୍ତି ମିଳିନାହିଁ। ୨୦୨୨ ମେ’ ପରଠାରୁ ଦେଶରେ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ନିକଟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ସାକ୍ଷାତ୍‍କାରରେ ସଙ୍କେତ ଦେଇଛନ୍ତି ଯେ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଥିବା ଲୋକଙ୍କୁ ଆଗାମୀ ଦିନରେ ବଡ଼ ଆଶ୍ୱସ୍ତି ମିଳିବ। ହରଦୀପ ସିଂହ ପୁରୀ କହିଛନ୍ତି ଯେ କେନ୍ଦ୍ର ସରକାର ତୈଳ ଦର ହ୍ରାସ ପ୍ରୟାସରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରୁଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୪ରେ ଟିକସ ହ୍ରାସ କରି ପେଟ୍ରୋଲ ଦର ୫ ଟଙ୍କା ଏବଂ ଡିଜେଲ ଦର ହ୍ରାସ କରିଥିଲେ। ଏହାପରେ ୨୦୨୨ ମେ ୨୨ତାରିଖରେ ସରକାର ପୁଣି ଥରେ ଟିକସ ହ୍ରାସ କରି ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ରିହାତି ଦେଇଥିଲେ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ୫ଟି ରାଜ୍ୟରେ ଚଳିତ ବର୍ଷର ଶେଷ ତିନି ମାସରେ ମତଦାନ ହେବ। ଏହାପରେ ୨୦୨୪ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ହେବ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ପାଳି ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଏବଂ ଗ୍ରାମୀଣ ଆୟକୁ ସମର୍ଥନ କରିବା ପାଇଁ ଅଧିକ ବିତ୍ତୀୟ ପଦକ୍ଷେପ ଉପରେ ଆଲୋଚନା ହୋଇପାରେ। ନିର୍ବାଚନ ପାଖେଇ ଆସୁଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଅନୁମାନ କରାଯାଉଛି।

Related Articles

Leave a Reply

Your email address will not be published.

Back to top button