ମଦୁରାଇ ରେଳ ଷ୍ଟେସନ ନିକଟରେ ଟ୍ରେନ୍ କୋଚ୍ ରେ ଅଗ୍ନିକାଣ୍ଡ: ୯ ଯାତ୍ରୀ ଜୀବନ୍ତ ଦଗ୍ଧ, ୫୦ ଆହତ

ମଦୁରାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରେଳ ଷ୍ଟେସନ ନିକଟରେ ପାର୍କିଂ ହୋଇଥିବା ଏକ ଟ୍ରେନ୍ କମ୍ପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୫୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦକ୍ଷିଣ ରେଳବାଇ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ମୃତ୍ୟୁବରଣ କରିଥିବା ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର, ଯେଉଁମାନେ ଧାର୍ମିକ ଯାତ୍ରା କରୁଥିଲେ। ଦକ୍ଷିଣ ରେଳବାଇର ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୧୭ ତାରିଖରେ ଲକ୍ଷ୍ନୌ ଛାଡିଥିବା ଏକ ପ୍ରାଇଭେଟ ପାର୍ଟି କୋଚ ଅଗଷ୍ଟ ୨୫ ତାରିଖରେ ନାଗରକୋଲି ଜଙ୍କସନସ୍ଥିତ ପୁନଲୁର-ମଦୁରାଇ ଏକ୍ସପ୍ରେସରେ ସଂଲଗ୍ନ ହୋଇ ଆଜି ସକାଳେ ମଦୁରାଇ ଷ୍ଟେସନରେ ପହଞ୍ଚିଥିଲା। ପାର୍ଟୀ କୋଚ ଟ୍ରେନରୁ ଅଲଗା ହୋଇ ମଦୁରାଇ ଷ୍ଟାବଲିଂ ଲାଇନରେ ପାର୍କିଂ କରିଥିବା ବେଳେ ସକାଳ ୫.୧୫ରେ ନିଆଁ ଲାଗିଯାଇଥିଲା।

ସିଲିଣ୍ଡରରେ ବିସ୍ଫୋରଣ:

ଦକ୍ଷିଣ ରେଳବାଇ ଅନୁଯାୟୀ, କୋଚ ଭିତରେ ବେଆଇନ ଭାବେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା, ଯେଉଁଥିପାଇଁ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ମଦୁରାଇ ଜିଲ୍ଲା କଲେକ୍ଟର ସଂଗୀତା କହିଛନ୍ତି ଯେ, ଆଜି (ଶନିବାର) ସକାଳେ ମଦୁରାଇ ଷ୍ଟେସନରେ ଠିଆ ହୋଇଥିବା ଗୋଟିଏ କୋଚରେ ନିଆଁ ଲାଗିଯାଇଥିଲା। ଉତ୍ତରପ୍ରଦେଶର ଶ୍ରଦ୍ଧାଳୁମାନେ କୋଚରେ ଯାତ୍ରା କରୁଥିଲେ। ଜିଲ୍ଲା କଲେକ୍ଟର ଆହୁରି କହିଛନ୍ତି, ଶନିବାର ସକାଳେ ଯେତେବେଳେ ସେମାନେ କଫି ତିଆରି କରିବା ପାଇଁ ଗ୍ୟାସ ଜଳାଇଥିଲେ, ସେହି ସମୟରେ ସିଲିଣ୍ଡର ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ୫୫ ଜଣଙ୍କୁ କୋଚରୁ ଉଦ୍ଧାର କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button