ସଚିନ ହେଲେ ନିର୍ବାଚନ କମିଶନଙ୍କ ନ୍ୟାସନାଲ ଆଇକନ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ଭାରତୀୟ କ୍ରିକେଟ କିମ୍ବଦନ୍ତୀ ତଥା ଭାରତରତ୍ନ ସଚିନ ତେନ୍ଦୁଲକରଙ୍କୁ ଏକ ନୂଆ ପରିଚୟ ମିଳିଛି । ସେ ଆଉ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି । ଭାରତ ନିର୍ବାଚନ କମିଶନଙ୍କ ପାଇଁ ଭୋଟର ସଚେତନତା ସୃଷ୍ଟି କରିବା ପାଇଁ ସେ ‘ଜାତୀୟ ଆଇକନ’ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବିଧିବଦ୍ଧ ଭାବେ ସଚିନଙ୍କୁ ନ୍ୟାସନାଲ ଆଇକନ ଭାବେ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲଙ୍କ ଉପସ୍ଥିତିରେ ନୂଆଦିଲ୍ଲୀର ଆକାଶବାଣୀ ରଙ୍ଗ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଚିନ 3 ବର୍ଷ ପାଇଁ ନ୍ୟାସନାଲ ଆଇକନ ଭାବେ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଆଗାମୀ 2024 ଲୋକସଭା ନିର୍ବାଚନରେ ଏହି ଦାୟିତ୍ବ ଆରମ୍ଭ କରିବେ । ସେ ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ ସଚେତନ କରିବେ । ନୂଆ ଦାୟିତ୍ବ ଗ୍ରହଣ କରିବା ପରେ ସଚିନ ତେନ୍ଦୁଲକର ପ୍ରତିକ୍ରିୟା ରଖି କହିଛନ୍ତି, ”ରାଷ୍ଟ୍ର ନିର୍ମାଣରେ ଯୁବଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିଛି । ମୁଁ ଓ ମୋର ପତ୍ନୀ ଅଞ୍ଜଳୀ ସର୍ବଦା ଭୋଟ ଦେଇଥାଉ । ଏହା ପରେ ଭୋଟ ଦେବାକୁ ସକ୍ଷମ ହେବା ପରେ ସାରା ଓ ଅର୍ଜୁନ ମଧ୍ୟ ଏହି ପର୍ବରେ ସାମିଲ ହୋଇଥିଲେ। ଏହା ଆମର ଦାୟିତ୍ବ ଯାହାକୁ କେବେ ଅଣଦେଖା କରିବା କଥା ନୁହେଁ । ନିର୍ବାଚନ କେବେ ହୁଏ ଏହା ଉପରେ ସମସ୍ତଙ୍କୁ ଧ୍ୟାନ ଦେବା ଆବଶ୍ୟକ । କ୍ରିକେଟ ମ୍ୟାଚ ସମୟରେ ଯେବେ ଏକ ସ୍ବରରେ ଇଣ୍ଡିଆ ଇଣ୍ଡିଆ ଜୟକାର ଶୁଭିଥାଏ ସେହିପରି ଗଣତନ୍ତ୍ରଙ୍କୁ ଆଗକୁ ନେବାରୁ ସମାନ ସ୍ବର ଉଠିବା ଦରକାର । ଏହା ସରଳ ଉପାୟ ହେଉଛି ନିଜର ମତାମତ ଭୋଟ ମାଧ୍ୟମରେ ଦେବା ।”

Related Articles

Leave a Reply

Your email address will not be published.

Back to top button