ନକଲି ପ୍ରମାଣପତ୍ର ମାମଲା: ଜେଲ୍ ଗଲେ ଡାକମାଷ୍ଟର ଓ ସ୍କୁଲ୍ ମାଷ୍ଟର
ଭୁବନେଶ୍ବର: କଳାହାଣ୍ଡି ଜିଲାରେ ନକଲି ପ୍ରମାଣପତ୍ର ମାମଲାରେ ଅଭିଯୁକ୍ତ ଡାକମାଷ୍ଟର ଓ ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠେଇଛି ପୁଲିସ । ଗ୍ରାମୀଣ ଡାକସେବକ ଭାବେ ନିୟୋଜିତ ହୋଇଥିବା ଅନେକ ପ୍ରାର୍ଥୀ ଦାଖଲ କରିଥିବା ପ୍ରମାଣପତ୍ର ନକଲି ବୋଲି ପ୍ରମାଣିତ ହେଲା ପରେ ଗିରଫ ହୋଇଛନ୍ତି । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଏପିଟା ଗ୍ରାମର ପଦ୍ମନାଭ ମହାନନ୍ଦ ପ୍ରାର୍ଥୀମାନଙ୍କଠାରୁ ମୋଟା ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି ବୋଲି ପୁଲିସକୁ ସୂଚନା ମିଳିଥିଲା । କଳାହାଣ୍ଡି ଜିଲାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ପାଇଁ ଭବାନୀପାଟଣା ଡାକ ସହକାରୀ ଅଧୀକ୍ଷକ ମାଧ୍ୟମିକ ଶିକ୍ଷା ପରିଷଦକୁ ସୁପାରିଶ କରିଥିଲେ । ବୋର୍ଡ କର୍ତ୍ତୃପକ୍ଷ ପ୍ରଭାତ ମହାନନ୍ଦ ନାମକ ଜଣେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ କରି ତାହା ନକଲି ବୋଲି ଜାଣି ପାରିଥିଲେ । ଏହା ପରେ ଡାକ ବିଭାଗ ତରଫରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଏହି ଘଟଣାର ତଦନ୍ତରୁ ଜାଣିପାରିଥିଲା ଯେ, ପୁଅ ନକଲି ପ୍ରମାଣପତ୍ର ବଳରେ ଡାକ ବିଭାଗରେ ଚାକିରି କରୁଥିଲା । ପୁଅକୁ ନକଲି ସାର୍ଟିଫିକେଟ ଯୋଗାଇଥିବା ବାପା ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ପୁର୍ବରୁ ନକଲି ଡାକ କର୍ମଚାରୀ ଛନକ ବାଗ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଭବାନୀପାଟଣା ଟାଉନ ପୁଲିସ ପଦ୍ମନାଭ ମହାନନ୍ଦ ଓ ତାଙ୍କ ପଅ ପ୍ରଭାତ ମହାନନ୍ଦଙ୍କୁ ଗିରଫ କରି ଜେଲକୁ ପଠାଇଛି ।