ଅଗଷ୍ଟ ବର୍ଷା ଭରଣା କଲା: ସ୍ବାଭାବିକଠାରୁ ୨% ଅଧିକ ହୋଇଛି

ଭୁବନେଶ୍ୱର,୭ା୮(ଅନିଲ ଦାସ): ଜୁନ୍‌ ଓ ଜୁଲାଇରେ ରାଜ୍ୟକୁ ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହେବାକୁ ପଡିଛି। ବର୍ଷା ଅଭାବରୁ ରାଜ୍ୟରେ ଚାଷକାର୍ଯ୍ୟ ମାନ୍ଦା ପଡିଥିଲା। ତେବେ ଜୁଲାଇ ୩୦ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟକୁ ପର୍ଯ୍ୟାପ୍ତ ବର୍ଷା ଦେଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ ପହିଲାରୁ ଅଗଷ୍ଟ ୬ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ୨% ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୬୨୯.୩ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ମାତ୍ର ୬୩୯.୪ ପ୍ରତିଶତ। ବୌଦ୍ଧରେ ସ୍ବାଭାବିକଠାରୁ ସର୍ବାଧିକ ୬୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏତେ ବର୍ଷା ସତ୍ତ୍ୱେ ଗଞ୍ଜାମରେ ସ୍ବାଭାବିକଠାରୁ ୩୦ ପ୍ରତିଶତ ଓ ନବରଙ୍ଗପୁରରେ ୩୮ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରାହିଛି। ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। କାଁ ଭାଁ କେଉଁଠି ଅସରାଏ କିମ୍ବା ଦି’ ଅସରା ବର୍ଷା ହୋଇପାରେ। ପାଗ ମେଘୁଆ ରହିଲେ ମଧ୍ୟ ବର୍ଷା ହେବ ନାହିଁ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି।

Related Articles

Leave a Reply

Your email address will not be published.

Back to top button