ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆଉ ୪ ଲକ୍ଷ ୧୩ ହଜାର ଜଣଙ୍କୁ ଦିଆଯିବ ପେନସନ

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବାଣ ମାରିଛନ୍ତି। ତାହା ହେଲା ରାଜ୍ୟରେ ଆଉ ନୂଆ ୪ ଲକ୍ଷ ୧୩ ହଜାର ଜଣଙ୍କୁ ମଧୁବାବୁ ପେନସନ ଦେବା ପାଇଁ ଘୋଷଣା କରିଛନ୍ତି। ସାମାଜିକ ସୁରକ୍ଷା ପେନ୍‌ସନ୍ ଅଧିନରେ ଏହି ଅତିରିକ୍ତ ସଂଖ୍ୟାକୁ ନବୀନ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ଯୋଜନା ଅଧିନରେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଲାଭ ପାଉଥିଲେ। ବର୍ତ୍ତମାନ ଏହା ବୃଦ୍ଧି ପାଇ ୩୨ ଲକ୍ଷ ୭୫ ହଜାର ହିତାଧିକାରୀ ହେଲେ। ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୫ଟି ସଚିବ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ଅଭିଯୋଗ ଏବଂ ମୋ ସରକାରଙ୍କଠାରୁ ମିଳିଥିବା ମତାମତକୁ ବିଚାରକୁ ନେଇ ଏହି ଯୋଜନାରେ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫ ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ସିଏମଓର ଅନ୍ୟ ବରିଷ୍ଠ ଅଧିକାରୀମାନେ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ତୃଣମୂଳ ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ଗସ୍ତ କରୁଛନ୍ତି। ତାହାକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଏହି ଅନୁମୋଦନ କରିଛନ୍ତି। ସମସ୍ତ ନୂତନ ଅନୁମୋଦିତ ହିତାଧିକାରୀମାନେ ସେମାନଙ୍କର ପ୍ରଥମ ପେନସନ ରାଶି ଆସନ୍ତା ୧୫ ଅଗଷ୍ଟରେ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ କିମ୍ବା ୱାର୍ଡ ଅଫିସରେ ନିର୍ବାଚିତ ପ୍ରତିନିଧୀଙ୍କ ଉପସ୍ଥିତିରେ ପାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହିତାଧିକାରୀଙ୍କୁ ପେନ୍‌ସନ୍ ସୁଗମ ଏୂବଂ ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ମଧୁ ବାବୁ ପେନ୍ସନ୍ ଯୋଜନା ଅଧୀନରେ ୨୮.୬୧ ଲକ୍ଷ ବା ୨୮,୬୧,୧୯୫ ଜଣ ହିତାଧିକାରୀଙ୍କୁ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରୁଛନ୍ତି। ଏଥିରେ ମାସିକ ୫୦୦ ଟଙ୍କା, ୭୦୦ ଟଙ୍କା କିମ୍ବା  ୯୦୦ ଟଙ୍କା ପ୍ରଦାନ କରାଯାଉଛି। ହିତାଧିକାରୀ ଯେପରିକି ବୟସ୍କ ବ୍ୟକ୍ତି, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, କୁଷ୍ଠରୋଗୀ, ଏଡସ୍ ରୋଗୀ, ଛାଡପତ୍ର / ଗରିବ, ଟ୍ରାନ୍ସଜେଣ୍ଡର ବ୍ୟକ୍ତି, କୋଭିଡ ପ୍ରଭାବିତ ପରିବାରର ଅନାଥ ପିଲା ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ବ୍ୟକ୍ତି ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ମଧୁବାବୁ ପେନସନ ଯୋଜନାରେ ୦-୭୯ ବର୍ଷ ବୟସ ମଧ୍ୟରେ, ବିଭିନ୍ନ ବର୍ଗର ହିତାଧିକାରୀମାନେ ମାସକୁ  ୫୦୦ ଟଙ୍କା ପାଆନ୍ତି, ଯେତେବେଳେ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀମାନେ ମାସକୁ ୭୦୦ ଟଙ୍କା ପାଇଥାନ୍ତି। ସେହିଭଳି, ଏହି ଯୋଜନା ଅଧୀନରେ ୪୦-୫୯ ପ୍ରତିଶତ ଅକ୍ଷମତା ଥିବା ହିତାଧିକାରୀମାନେ ମାସକୁ ୫୦୦ ଟଙ୍କା ଏବଂ ୬୦ ପ୍ରତିଶତ  ତଦୁର୍ଦ୍ଧ୍ୱ ଅକ୍ଷମତା ଥିବା ହିତାଧିକାରୀମାନେ ମାସକୁ ୭୦୦ ଟଙ୍କା ପାଇଥାନ୍ତି। ତେବେ ଯେଉଁଠାରେ ୬୦ ପ୍ରତିଶତ କିମ୍ବା ତାହାଠାରୁ ତଦୁର୍ଦ୍ଧ୍ୱ ଅକ୍ଷମତା ଏବଂ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀମାନେ ମାସିକ ୯୦୦ ଟଙ୍କା ପାଇଥାନ୍ତି। ଏହି ୪ ଲକ୍ଷ ୧୩ ହଜାର ନୂତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ସହାୟକ ହେବ।

Related Articles

Leave a Reply

Your email address will not be published.

Back to top button