୨୬ରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ

ନୂଆଦିଲ୍ଲୀ: ପ୍ରଣୟନ ହୋଇଥିବା ୩ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇ ଆସିଥିବା ମିଳିତ ଚାଷୀ ସଂଗଠନ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ମାର୍ଚ୍ଚ ୨୬କୁ ଆନ୍ଦୋଳନକୁ ୪ ମାସ ପୂରଣ ହେଉଥିବାରୁ ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇ ଏହାକୁ ପାଳନ କରିବାକୁ ଘୋଷଣା କରିଛି। ସେହିପରି ଆସନ୍ତା ୧୫ ତାରିଖରେ ତୈଳ ଦାମ ବୃଦ୍ଧିର ପ୍ରତିବାଦ ନେଇ ଟ୍ରେଡ ୟୁନିୟନଗୁଡ଼ିକ ପକ୍ଷରୁ ଯେଉଁ ଡାକରା ଦିଆଯାଇଛି ତାହାକୁ ମଧ୍ୟ ଚାଷୀ ସଂଗଠନ ସମର୍ଥନ ଜଣାଇ ପ୍ରତିବାଦରେ ସାମିଲ ହେବ ବୋଲି କହିଛି। ନିକଟରେ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ୧୦୦ ଦିନ ପୂରଣ ହେବା ଅବସରରେ ଦେଶବ୍ୟାପୀ ପ୍ରତିବାଦ କରାଯାଇଥିଲା। ଏବେ ପୁଣି ଥରେ ଅନୁରୂପ ପ୍ରତିବାଦ ନେଇ ଘୋଷଣା କରିବା ଚିନ୍ତାର କାରଣ ହୋଇଛି।

ମଧ୍ୟ ପ୍ରଦେଶରେ ଅନୁଷ୍ଠିତ ମହାପଞ୍ଚାୟତରେ ଭାଗ ନେଇ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲିରେ କେବଳ ୩ ହଜାର ୫୦୦ ଟ୍ରାକ୍ଟର ସାମିଲ ହୋଇଥିଲେ। ମାତ୍ର ଆଗକୁ ଯଦି ସରକାର ଆମ ଦାବି ପୂରଣ ନ କରନ୍ତି ତାହେଲେ ସଂସଦ ଭବନ ଅଭିମୁଖେ ୧ ଲକ୍ଷ ଟ୍ରାକ୍ଟର ରାଲି କରି ଚାଷୀମାନେ ଆସିବାକୁ ପଛାଇବେ ନାହିଁ। ଚାଷୀ ଆନ୍ଦୋଳନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା ବେଳେ ସାଧାରଣତନ୍ତ୍ର ଦିବସରେ କେତେକ ଟ୍ରାକ୍ଟର ଲାଲକିଲ୍ଲା ପର୍ଯ୍ୟନ୍ତ ଯିବା ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲା।

Related Articles

Leave a Reply

Your email address will not be published.

Back to top button