ରାଜସ୍ଥାନ ରାଜନୀତିରେ ‘ନାଲି ଡାଇରୀ’ ବନାମ ‘ନାଲି ଟମାଟୋ’

ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନ ସମୟ ଯେତିକି ପାଖେଉଛି ସେଠାକାର ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଉଭୟ ବିଜେପି କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଚା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତ ପରେ ସେଠାକାର ରାଜନୀତି ଆହୁରି ଗମ୍ଭିର ହେବାରେ ଲାଗିଛି। ମୋଦି ରାଜସ୍ଥାନର ସୀକାରରେ ଏକ ରାଲିକୁ ଉଦବୋଧନ ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ମୋଦି କହିଥିଲେ ଯେ, ନାଲି ଡାଇରୀ କଂଗ୍ରେସର ପେଡି ଖୋଲିବ। ସେହି ଡାଇରୀ ପୃଷ୍ଠା ଖୋଲିଲେ କଂଗ୍ରେସର ବଡବଡ ନେତା ଓଲଟି ପଡିବେ। ନାଲି ଡାଇରୀକୁ ନେଇ ରାଜ୍ୟର କଂଗ୍ରେସ ସରକାର ବିଚଳିତ ହୋଇପଡିଛି। ଏଥର ରାଜସ୍ଥାନ ନିର୍ବାଚନରେ କଂଗ୍ରେସକୁ ଏହି ନାଲି ଡାଇରୀ ଖାଇବ ବୋଲି ମୋଦି ଜନସମାଗମକୁ ଉଦବୋଧନ ଦେଇ କହିଥିଲେ। ବର୍ତ୍ତମାନ ରାଜସ୍ଥାନରେ ନାଲି ଡାଇରୀକୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ମୁଖ୍ୟମନ୍ତ୍ରୀ ଗେହେଲଟ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୋଧାଙ୍କୁ  ମନ୍ତ୍ରୀପଦରୁ ବହିସ୍କୃତ କରିଛନ୍ତି। ଏହାପରେ ସେ ବିଧାନସଭାରେ ଏକ ନାଲି ଡାଇରୀ ଦେଖାଇଥିଲେ। ଏହି ଡାଇରୀରେ ଗେହେଲଟଙ୍କ କଳା କାରନାମା ଲେଖା ଅଛି ବୋଲି ସେ ଦାବୀ କରିଥିଲେ। ଏହାପରେ ରାଜସ୍ଥାନ ରାଜନୀତିରେ ନାଲି ଡାଇରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଡାଇରୀ ସଂପର୍କରେ ଗତକାଲି ଖୋଦ ପ୍ରଧାନମନ୍ତ୍ରୀ କହିବା ପରେ ଏହି ଚର୍ଚ୍ଚା ଆହୁରି ବୃଦ୍ଧି ପାଇଛି। ଏହି ଡାଇରୀରେ ମୁଖ୍ୟମନ୍ତ୍ରୀ ଗେହେଲେଟ ତାଙ୍କ ସରକାରକୁ ବଞ୍ଚାଇବା ପାଇଁ କାହାକୁ ଟଙ୍କା ଦେଇଛନ୍ତି ତାହା ଉଲ୍ଲେଖ ରହିଛି। ଫଳରେ ରାଜସ୍ଥାନର କଂଗ୍ରେସ ସରକାର ଏହାକୁ ନେଇ ବେଶ ସମାଲୋଚନାର ସମ୍ମୁଖୀନ ହେବାରେ ଲାଗିଛି। ଆଉ ଚାରିମାସ ପରେ ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ସରକାରଙ୍କ ପାଇଁ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ପାଇଁ ଏହା ମୁଣ୍ଡବିଧାର କାରଣ ପାଲଟିଛି। ତେବେ ଏହାକୁ ଉଚିତ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ କୁମାର ଗେହେଲେଟ। ମୋଦିଙ୍କ ନାଲି ଡାଇରୀ କଟାକ୍ଷକୁ ଉତ୍ତର ଦେଇ ସେ କହିଛନ୍ତି ଯେ, ମୋଦି ନାଲି ଡାଇରୀ କଥା କାହିଁ କହୁଛନ୍ତି, ସେ ନାଲି ଟମାଟୋ କଥା ଲୋକଙ୍କୁ କୁହନ୍ତୁ। ଗତକାଲି ରାଜସ୍ଥାନରେ ମୋଦିଙ୍କର ସରକାରୀ କାର୍ଯ୍ୟକ୍ରମ ଥିଲେ ମଧ୍ୟ ସେଥିରେ ମୁଖ୍ୟମନ୍ତ୍ରୀ ଗେହେଲେଟ ଯୋଗ ଦେଇ ନ ଥିଲେ।

Related Articles

Leave a Reply

Your email address will not be published.

Back to top button