ମହାଶିବରାତ୍ରୀ ପାଇଁ ଜାରି ହେଲା ଗାଇଡ଼ଲାଇନ
ଭୁବନେଶ୍ୱର : ରାଜ୍ୟ ସରକାର ମହାଶିବରାତ୍ରୀ ନିମନ୍ତେ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ନୂଆ କରୋନା ଭାଇରସ ସାର୍ସ-କୋଭ୨ ଚିହ୍ନଟ କରାଯାଇଛି । ତେଣୁ କୋଭିଡ଼-୧୯ ନିରାପତା ପ୍ରୋଟୋକଲ ଉପରେ ବିଶେଷ ଗୁରୁତ୍ୱାରୋପ ଦିଆଯାଇଛି । ଅପରପକ୍ଷରେ କୋଭିଡ଼ ସଂକ୍ରମଣକୁ ଆଖି ଆଗରେ ରଖି ବଡ଼ ଧରଣର ସମାବେଶ ଉପରେ କଟକଣା ଲଗାଯାଇଛି । ବିଶେଷକରି ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ ଓ ଧାର୍ମିକ ଉତ୍ସବ ଉପରେ କଟକଣା ରହିଛି । ୫୦୦ରୁ ଅଧିକ ଲୋକଙ୍କର ସମାବେଶକୁ ବାରଣ କରାଯାଇଛି । ମହାଶିବରାତ୍ରୀ ଏକ ପ୍ରମୁଖ ପର୍ବ ହୋଇଥିବାବେେଳେ ଏହି ଅବକାଶରେ ଶୈବପୀଠରେ ହଜାର ହଜାର ଲୋକଙ୍କ ଜନସମାଗମ ହୋଇଥାଏ । ଲୋକମାନେ ଉପାସ ରହି ରାତି ସାରା ଉଜାଗର ରହିଥା’ନ୍ତି । ଅଧିକ ସଂଖ୍ୟକ ଜନସମାଗମ ହେଲେ କୋଭିଡ଼-୧୯ ସଂକ୍ରମଣ ବ୍ୟାପିବାର ମଧ୍ୟ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ସରକାର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୧୧ରେ ଯେଉଁ ଯେଉଁ ସ୍ଥାନରେ ମହାଶିବରାତ୍ରୀ ଉତ୍ସବ କରାଯିବ ସେଥିପ୍ରତି ସ୍ଥାନୀୟ ଜିଲ୍ଲାପାଳ ଓ ମହାନଗର ନିଗମକୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଓ ମହାନଗର ନିଗମ ସେହିସବୁ ସ୍ଥାନରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ କଟକଣା ଲଗାଇ ପାରିବେ ।
ସ୍ଥାନୀୟ ଅଂଚଳରେ କରୋନା ସ୍ଥିତି, ଜନସମାଗମ ଓ ମନ୍ଦିର ମଧ୍ୟରେ ଥିବା ସ୍ଥାନ ଆଦିକୁ ଅନୁଶୀଳନ କରି ପଦକ୍ଷେପ ଗ୍ରହଣ କରାଯିବା ସହ ଆବଶ୍ୟକୀୟ କଟକଣା ମଧ୍ୟ ଲାଗୁ କରାଯିବ । ସେହିପରି ଯେଉଁ ଶିବ ମନ୍ଦିରରେ ଅନୁମତି ମିଳିବ ସେଠାରେ ଯେମିତି ସମସ୍ତେ କରୋନା ନିରାପତା ପ୍ରୋଟୋକଲ ପାଳନ କରିବେ ତାହାକୁ ସୁନିଶ୍ଚିତ କରିବାକୁ ପଡ଼ିବ । ଅପରପକ୍ଷରେ ଜାଗର ଉପଲକ୍ଷେ ଶୈବପୀଠଗୁଡ଼ିକରେ ହେଉଥିବା ମେଳା ଉପରେ କଟକଣା ଲାଗିବ । ମନ୍ଦିର ଭିତରେ ଓ ବାହାରେ ଯେଭଳି ଅଧିକ ସଂଖ୍ୟକ ଲୋକ ଏକତ୍ରିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ।