ରାଷ୍ଟ୍ରପତି ଭାବେ ଏକ ବର୍ଷ ପୂରଣ କଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟଭାର ଗ୍ରହଣ କରିବାର ବର୍ଷେ ପୁରିଲା। ଗତବର୍ଷ ଜୁଲାଇ ୨୫ ତାରିଖରେ ସେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ମୟୁରଭଞ୍ଜ ପରି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ଜଣେ ମହିଳା ରାଜ୍ୟପାଳ ହେବା ଏବଂ ପରବର୍ତ୍ତି ସମୟରେ ଦେଶର ସର୍ବୋଚ୍ଚ ଆସନରେ ବସିବା କିଛି ସାମାନ୍ୟ କଥା ନୁହେଁ। ସେ ଜଣେ ସାଧାରଣ ମହିଳା ଭାବେ ଏହି ପଦରେ ଅଧିଷ୍ଠିତ ହେବା ନେଇ ସେତେବେଳେ ଦେଶବିଦେଶର ନେତାମାନେ ବେଶ ପ୍ରଶଂସା କରିଥିଲେ। ଆଉ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। ସେତେବେଳର ସେହି ପ୍ରଶଂସା ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ପାଖକୁ ଛୁଟି ଆସୁଛି। କେବଳ ଭାରତ କାହିଁକି ସେ ଯେ କୌଣସି ରାଷ୍ଟ୍ର ଗସ୍ତରେ ଯାଉଛନ୍ତି ସେଠାରେ ତାଙ୍କୁ ଦିଆଯାଉଛି ବିପୁଳ ସମ୍ବର୍ଦ୍ଧନା। ତାଙ୍କୁ ଦେଖିବା ପାଇଁ ଲୋକ ଗହଳି ହିଁ ତାଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରମାଣିତ କରିଦେଇଛି। ଏହି ବର୍ଷେ ମଧ୍ୟରେ ସେ ନିଜକୁ ଜଣେ ଜନପ୍ରିୟ ରାଷ୍ଟ୍ରପତି ଭାବେ ପ୍ରତିଷ୍ଠିତ କରାଇପାରିଛନ୍ତି। ସେ ବିଭିନ୍ନ ସ୍ଥାନରେ ଦେଉଥିବା ଭାଷଣ ମଧ୍ୟ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଛି। ସେଥିରୁ ତାଙ୍କର ଲୋକଙ୍କ ପ୍ରତି କିପରି ଭଲ ପାଇବା ରହିଛି ତାହା ପ୍ରମାଣିତ କରିଛି। ଏକଦା ସୁପ୍ରିମକୋର୍ଟ ତରଫରୁ ଆୟୋଜିତ ସମ୍ବିଧାନ ଦିବସରେ ଦେଇଥିବା ବକ୍ତବ୍ୟ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ସେ ସୁପ୍ରିମକୋର୍ଟ ବିଚାରପତିମାନଙ୍କୁ କହିଥିଲେ ଯେ, ବର୍ତ୍ତମାନ ଭାରତର ବିଭିନ୍ନ ଜେଲରେ ବିନା ଦୋଷରେ ଲୋକେ ଜେଲଦଣ୍ଡ ଭୋଗୁଛନ୍ତି। ସେମାନଙ୍କ କଥା ବିଚାରପତିମାନେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ପରବର୍ତ୍ତି ସମୟରେ ଏହା ଉପରେ ଆରମ୍ଭ ହୋଇଥିଲା ତନାଘନା। ଏହି ବର୍ଷେ ମଧ୍ୟରେ ତାଙ୍କୁ ବିଭିନ୍ନ ରାଜ୍ୟର ବିଧାନସଭା ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରିବା ଏବଂ ବିଧାୟକଙ୍କୁ ଅଭିଭାଷଣ ପ୍ରଦାନ କରିବା କାର୍ଯ୍ୟ ତାଙ୍କର ଲୋକପ୍ରିୟତାର ନିଦର୍ଶନ। ସେହିପରି ରାଷ୍ଟ୍ରପତି ଭବନ ଯାହା ମାଛି ପଡିଲେ ନବ ଖଣ୍ଡ ହୁଏ ସେହିପରି ଉଚ୍ଚ ସୁରକ୍ଷା ଐତିହାସିକ ଅଟ୍ଟଳିକା ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ସେ ହିଁ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଭବନ ଭିତରକୁ ଲୋପପାଇଯାଉଥିବା ଆଦିବାସୀଙ୍କଠାରୁ ଆରମ୍ଭ କରି ଜଣେ ସାଧାରଣ ଲୋକ ତାଙ୍କୁ ଦେଖିବା ପାଇଁ ଆଜି କଷ୍ଟକର ବ୍ୟାପାର ହୋଇ ନାହିଁ। ସେହିପରି ଓଡିଶା ଲୋକଙ୍କ ପାଇଁ ରାଷ୍ଟ୍ରପତି ଭବନ ଦ୍ବାର ଖୋଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେ ଓଡିଶା ମାଟିର ଆଉ ଓଡିଶା ଲୋକଙ୍କୁ ଭଲ ପାଇବାର ଏହା ହେଉଛି ଅନ୍ୟତମ ପ୍ରମାଣ। ଏହି ବର୍ଷେ ମଧ୍ୟରେ ଓଡିଶାର ଶତାଧିକ ଲୋକ ତାଙ୍କୁ ସାକ୍ଷାତ କରିବାରେ ସକ୍ଷମ ହୋଇପାରିଛନ୍ତି। ଯାହା ପୂର୍ବରୁ କେବେ ସେହି ସୁଯୋଗ ଓଡିଶାବାସୀଙ୍କ ମିଳି ନ ଥିଲା। କେବଳ ସାକ୍ଷାତ ନୁହେଁ ସେମାନଙ୍କୁ ନିକଟରେ ବସାଇ ଦୁଃଖସୁଖ ହେବା କୌଣସି ଓଡିଆଙ୍କ ଭାଗ୍ୟରେ ଜୁଟି ନ ଥିଲା। ରାଷ୍ଟ୍ରପତି ଭାବେ ସେ ଦାୟିତ୍ବ ନେବା ପରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ଭାରତ ତରଫରୁ ଯୋଗଦେବା ପାଇଁ ତାଙ୍କୁ ମିଳିଥିଲା ନିମନ୍ତ୍ରଣ। ସେହିପରି ସୁରିନାମ ଏବଂ ସର୍ବିୟା ରାଷ୍ଟ୍ର ଗସ୍ତରେ ତାଙ୍କୁ ସେହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ଯାହା ଭାରତ ପାଇଁ ଆଣିଦେଇଛି ଗର୍ବ ଓ ଗୌରବ। ତାଙ୍କର ଏହି ବର୍ଷେ କାର୍ଯ୍ୟକାଳ ମଧ୍ୟରେ ସେ ଏ ପର୍ଯ୍ୟନ୍ତ ୨୬ ଟି ରାଷ୍ଟ୍ର ଗସ୍ତ କରିସାରିଛନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ଯେତିକି ଐତିହାସିକ, ସେ ସୁଖୋଇ-୩୦ ଯୁଦ୍ଧ ବିମାନରେ ଉଡିବା ମଧ୍ୟ ସେହିପରି ଏକ ଐତିହାସିକ ଯାତ୍ରା ବୋଲି କୁହାଯିବ। କାରଣ ଏହି ବିମାନରେ ଉଡିବା ଏକ ସାହସିକତାର ପ୍ରତୀକ। ଯାହା ରାଷ୍ଟ୍ରପତି ମୁର୍ମୁ କରି ଦେଖାଇଛନ୍ତି। ସେତେକି ନୁହେଁ ତାଙ୍କର ଆହୁରି ଦୀର୍ଘକାଳ କାର୍ଯ୍ୟକାଳ ମଧ୍ୟରେ ଏହି ଦେଶ ତଥା ବିଦେଶ ଦେଖିବ ତାଙ୍କର ଅନେକ କିଛି ଐତିହାସିକ ନିଷ୍ପତି ଓ ପଦକ୍ଷେପ।

Related Articles

Leave a Reply

Your email address will not be published.

Back to top button