ଗଣତନ୍ତ୍ରକୁ ସୁରକ୍ଷା ଦେବା ପ୍ରତି ନାଗରିକର କର୍ତ୍ତବ୍ୟ: ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ୱର : ଗଣତନ୍ତ୍ରକୁ ସୁରକ୍ଷା ଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରି ଏକ ସୁସ୍ଥ ସୁନ୍ଦର ଦେଶ ଗଠନ କରିବା ପ୍ରତ୍ୟେକ ନାଗରିକଙ୍କର ଧ୍ୟେୟ ହେଉ । ଉପଯୁକ୍ତ ଲୋକଙ୍କୁ ରାଜ୍ୟ ବା ଦେଶର ଶାସନର ଦାୟିତ୍ୱ ଦେବା ଉଚିତ । ଏଥିପାଇଁ ପ୍ରତ୍ୟେକ ଜନସାଧାରଣ ସଚେତନ ହୁଅନ୍ତୁ । ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଶାସନ ଜନସାଧାରଣଙ୍କର ଅଧିକାର । ଏଥିପାଇଁ ଆଜିର ସମୟରେ କୌଣସି ବ୍ୟକ୍ତି ଦୁର୍ନୀତି ବିରୋଧରେ ଲଢ଼େଇ କରୁନାହାନ୍ତି । ତେଣୁ ଅନ୍ୟାୟ, ଅନୀତି, ଅତ୍ୟାଚାର ବିରୋଧରେ ବୁଦ୍ଧିଜିବୀମାନେ ସ୍ୱର ଉତୋଳନ କରିବାକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି । ମଙ୍ଗଳବାର ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ନେତା ସ୍ୱର୍ଗତ ପ୍ରଦୀପ୍ତ କିଶୋରା ଦାସଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ୍ତ କିଶୋର ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ତାଙ୍କର ସମାଜସେବା, ନେତୃତ୍ୱ ଓ ନିଷ୍ଠାପରତା ଉପରେ ଉଦ୍‌ବୋଧନ ଦେଇଥିଲେ । ସ୍ୱର୍ଗତ ଦାସଙ୍କୁ ରାଜ୍ୟପାଳ ଜଣେ ସଚ୍ଚୋଟ ଓ ଦୁର୍ନୀତିମୁକ୍ତ ନେତା ଭାବରେ ବର୍ଣ୍ଣନା କରି ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଥିଲେ ଯେ ସ୍ୱର୍ଗତ ଦାସ ଜଣେ ସ୍ୱଚ୍ଛତା ସମ୍ପୂର୍ଣ୍ଣ ମନ୍ତ୍ରୀ ଥିଲେ । ଆଇନ ଓ ନୀତିଗତ କାର୍ଯ୍ୟଧାରାକୁ ସମ୍ମାନ ଦେବା ସହିତ ତାହା ସେ କାର୍ଯ୍ୟରେ ପରିଣତ କରୁଥିଲେ । କୃଷି ଓ କୃଷକଙ୍କର ଉନ୍ନତି ଓ ସୁରକ୍ଷା ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ । ଓଡ଼ିଶା ଲୋକଙ୍କ ସେବା ଓ ସମାଜସେବାକୁ ସେ ପ୍ରାଧାନ୍ୟ ଦେଉଥିଲେ । ଗଣତନ୍ତ୍ରକୁ ସୁରକ୍ଷା ଉପରେ ମତ ଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଲୋକନାୟକ ଜୟପ୍ରକାଶ ନାରାୟଣ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନ କରିଥିଲେ । ପରେ ଏହି ଆନ୍ଦୋଳନ ଗଣତନ୍ତ୍ରର ସୁରକ୍ଷା ଆନ୍ଦୋଳନରେ ପରିଣତ ହୋଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ୍ତ କିଶୋର ଦାସଙ୍କ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ବିଜୟାନନ୍ଦ ସିଂହ ତାଙ୍କ ବିଷୟରେ ସମ୍ୟକ୍ ଆଲୋଚନା କରିଥିଲାବେଳେ ଅନୁଷ୍ଠାନର ସଭାପତି କାର୍ତ୍ତିକ ଚନ୍ଦ୍ର ବରାଳ ସଭାର ସଭାପତିତ୍ୱ କରିଥିଲେ । ସେହିପରି ବିଶିଷ୍ଟ ସାହିତ୍ୟିକ ଡ. ବିଭୂତି ପଟ୍ଟନାୟକ ଓ ବରିଷ୍ଠ ସମାଜବାଦୀ ନେତା କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ‘ପ୍ରଦୀପ୍ତ କିଶୋର ଦାସ ଜନ୍ମ ଶତବାର୍ଷିକୀ ସମ୍ମାନ’ ପ୍ରଦାନ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button