ବାହୁଡ଼ିଲେ ମହାବାହୁ, ସିଂହଦ୍ୱାର ସମ୍ମୁଖରେ ତିନି ରଥ

ଭୁବନେଶ୍ୱର: ନବଦିନାତ୍ମକ ଘୋଷଯାତ୍ରା ସାରି ବଡ଼ଦେଉଳ ସମ୍ମୁଖକୁ ବାହୁଡ଼ି ଆସିଛନ୍ତି ମହାବାହୁ । ସିଂହଦ୍ୱାର ସମ୍ମୁଖରେ ପହଞ୍ôଚଯାଇଛି ତିନି ରଥ । ଶ୍ରୀନଅର ସମ୍ମୁଖରେ ହୋଇଛି ଲଷ୍ମୀନାରାୟଣ ଭେଟ । ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଗୁଣ୍ଡିଚା ମନ୍ଦିରରେ ଆଜି ପ୍ରାତଃ ୪ଟା ୫୦ରେ ମଙ୍ଗଳ ଆଳତି, ୪ଟା ୫୫ରେ ମଇଲମ, ୫ଟାରେ ତଡପ ଲାଗି, ୫ଟା ୧୫ରେ ରୋଷହୋମ ଓ ଅବକାଶ ପୂଜା, ୬ଟା ୫ରେ ସୂର୍ଯ୍ୟପୂଜା ସମ୍ପନ୍ନ ହେବା ପରେ ୬ଟା ୨୦ରୁ ୭ଟା ୧୫ ମଧ୍ୟରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଲାଗି ହୋଇଥିଲା । ୭ଟା ୫୫ରେ ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପଛକୁ ପଛ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସୁସଜ୍ଜିତ ଟାହିଆ ପରିଧାନ କରି ୧୧ଟା ୫ ସୁଦ୍ଧା ରଥାରୂଢ଼ ହୋଇଥିଲେ । ଏହା ପରେ ରାମକୃଷ୍ଣ ଓ ମଦନ ମୋହନ ରଥାରୂଢ଼ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ୧୧ଟା ୪୦ ରୁ ୧୨ଟା ୪୦ ମଧ୍ୟରେ ତିନି ରଥରେ ଛେରାପହଁରା କାର୍ଯ୍ୟ ସମାପନ କରାଯାଇଥିଲା । ଛେରାପହଁରା ପରେ ଚାରମାଳ ଖୋଲାଯାଇ ଘୋଡା ଯୋଚାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ୧୨ଟା ୫୦ରେ ଗଡ଼ିଥିଲ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ୧ଟା ୩୦ରେ ଟଣା ହୋଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୧ଟା ୪୫ରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥିଲା । ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି ଓ ହରିବୋଲ ହୁଳହୁଳିରେ କମ୍ପୁଥିଲା ବଡ଼ଦାଣ୍ଡ । ବାଟରେ ଚତୁର୍ଦ୍ଧାମୂରତି ତାଙ୍କ ପ୍ରିୟ ମାଉସୀ ପ୍ରସ୍ତୁତ କରିଥିବା ପୋଡ଼ପିଠା ଖାଇଥିଲେ । ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଅଗ୍ରସର ହେଉଥିବା ବେଳେ ଶ୍ରୀମନ୍ଦିରରୁ ମା’ ମହାଲକ୍ଷ୍ମୀ ୫ଟା ୨୦ରେ ବାହାରିଥିଲେ । ସେବାୟତମାନେ ଏକ ସୁସଜ୍ଜିତ ପାଲିଙ୍କିରେ ମା’ଙ୍କୁ ଆସିନ କରାଇ ଶ୍ରୀନଅର ସମ୍ମୁଖକୁ ଆଣିଥିଲେ । ଅପରାହ୍ନ ୫ଟା ୫୫ରୁ ସନ୍ଧ୍ୟା ୬ଟା୧୦ ମଧ୍ୟରେ ଲଷ୍ମୀନାରାୟଣ ଭେଟ ନୀତି ହୋଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ôଚବା ପରେ ସେଠାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଲଷ୍ମୀନାରାୟଣ ଭେଟ କରାଇଥିଲେ । ଲଷ୍ମୀନାରାୟଣ ଭେଟ ସରିବା ପରେ ନନ୍ଦିଘୋଷ ରଥ ଟଣା ହୋଇ ସିଂହଦ୍ୱାରରେ ପହଞ୍ôଚ ଥିଲା । ତେବେ ସଂଧ୍ୟା ୬ଟା ୪୫ ସୁଦ୍ଧା ତିନିରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି ଯାଇଥିଲା । ସଅଳ ନୀତିକାନ୍ତି, ସେବାୟତମାନଙ୍କ ସହଯୋଗ ଓ ପ୍ରଶାସନର ଆବଶ୍ୟକ ପଦକ୍ଷେପ ଯୋଗୁଁ ତିନି ରଥ ବଡ଼ଦେଉଳ ସମ୍ମୁଖକୁ ଫେରି ଆସିଛି । ଯଦିଓ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତି ବିଳମ୍ବ ଓ ଅନ୍ୟାନ୍ୟ ବିଭ୍ରାଟ ଯୋଗୁଁ ଶରଧାବାଲିକୁ ତିନି ରଥ ପହଞ୍ଚି ପାରି ନଥିଲା । ଶ୍ରୀଗୁଣ୍ଡିଚାରେ କେବଳ ତାଳଧ୍ୱଜ ଓ ଦର୍ପଦଳନ ପହଞ୍ଚିଥିବା ବେଳେ ପରଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚିଥିଲେ । ଆଜି ବାହୁଡ଼ାଯାତ୍ରାର ସମସ୍ତ ନୀତିକାନ୍ତି, ନିର୍ଦ୍ଧାରିତ ସମୟ ଆଗରୁ ସଂପନ୍ନ କରାଯାଇଥିଲା । ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଥିଲା । ଚଳିତବର୍ଷ ପୁଣି ଇତିହାସ ରଚିଛି ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା । ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ଜନସମାଗମ ହୋଇଥିଲା ବାହୁଡା଼ଯାତ୍ରାରେ । ଆସନ୍ତାକାଲି ମହାପ୍ରଭୁଙ୍କ ହରିଶୟନ ଏକାଦଶୀ ନୀତି । ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏଥି ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ ହୋଇଛି ।

Related Articles

Leave a Reply

Your email address will not be published.

Back to top button