ନାକଚଣା ଦ୍ୱାର ସମ୍ମୁଖରେ ୩ ରଥ

ଭୁବନେଶ୍ବର: ପୁରୀ ବାହୁଡ଼ାଯାତ୍ରା ପାଇଁ ଏବେ ତିନିରଥ ପ୍ରସ୍ତୁତ। ଦକ୍ଷିଣମୋଡ଼ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ଦଣ୍ଡାୟମାନ। କେବଳ ଦାରୁବିଗ୍ରହଙ୍କୁ ଅପେକ୍ଷା। ବୁଧବାର ବାହୁଡ଼ା ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ। ଏଥିପାଇଁ ସୋମବାରଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ଶନିବାର ହେରାପଞ୍ଚମୀରେ ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥ ଭାଙ୍ଗି ଶ୍ରୀମନ୍ଦିରକୁ ଫେରିଯିବା ପରେ ଘୋଷଯାତ୍ରାର ଷଷ୍ଠ ଦିବସରେ ରବିବାର ବାହୁଡ଼ା ଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଥିଲା। ଏଥିଲାଗି ରଥ ଦକ୍ଷିଣମୋଡ଼ କରାଯାଇଥିଲା। ତିନିରଥରେ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁଯାୟୀ, ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ଼ କରାଯାଇଥିଲା। ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣମୋଡ଼ ହୋଇଥିଲା। ଏହି ଦୁଇଟି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରୁ ନାକଚଣା ଦ୍ୱାର ସମ୍ମୁଖକୁ ଟାଣି ନିଆଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇପାରି ନ ଥିଲା। ସୋମବାର ସକାଳେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ଘୋଷ ଘଣ୍ଟୁଆଙ୍କ ଘଣ୍ଟନାଦର ତାଳେତାଳେ ଆରକ୍ଷୀବାହିନୀ ଏହି ରଥକୁ ଟାଣି ନେଇଥିଲେ। ଏବେ ବାହୁଡ଼ା ଯାତ୍ରାକୁ ଭକ୍ତମାନେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି।

Related Articles

Leave a Reply

Your email address will not be published.

Back to top button