ତିନିଦିନ ଧରି ହେବ ଏକାମ୍ର ପ୍ରକଳ୍ପ ଭୂମିପୂଜନ ଉତ୍ସବ

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଏକାମ୍ର ପ୍ରକଳ୍ପ ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ କୌଶଳ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱର ପୋଲିସ ଉପାୟୁକ୍ତ ପ୍ରତୀକ କୁମାର ସିଂହ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଜେ.କେ. ଦାଶ, ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ଗଣ, ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟଗଣ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଉତ୍ସବ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ବିଶେଷ କରି ଆଗାମୀ ୨୬, ୨୭ ଓ ୨୮ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏକାମ୍ର ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ କିଭଳି ସୁରୁଖୁରୁରେ ସମାପନ କରାଯିବ, ସେ ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତିନିଦିନ ଧରି ଏଠାରେ ଯଜ୍ଞାନୁଷ୍ଠାନ ସହ ଭଜନ ପରିବେଷଣ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଅଛି। ଲକ୍ଷାଧିକ ଲୋକଙ୍କ ସମାଗମ ଦୃଷ୍ଟିରୁ ଏହି ଉତ୍ସବକୁ ସଂମ୍ପୁର୍ଣ୍ଣ ଭାବେ ବ୍ୟବସ୍ଥିତ କରିବା ସହ ଶୃଙ୍ଖଳାର ସହ କିଭଳି ଏହାର ସମାପନ ହେବ ସେ ଦିଗରେ ବିଭିନ୍ନ ପଦକ୍ଷେପ ନେବା ଲାଗି ବୈଠକରେ ବିଷଦ ଭାବେ ଆଲୋଚନା କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button