ଡ୍ରାଗନ ପାଇଁ ବିପଦ ନୁହେଁ ଭାରତୀୟ ସେନା: ଭାରତର ସୁରକ୍ଷା ଶକ୍ତି ଉପରେ ପ୍ରଶ୍ନ ଉଠାଇଲା ଚୀନ୍

ନୂଆଦିଲ୍ଲୀ: ଦଶନ୍ଧି ଧରି ଭାରତ ସହ ସୀମା ବିବାଦରେ ଛନ୍ଦି ହୋଇପଡିଥିବା ଚୀନ୍ ନିଜକୁ ଏକ ମହାଶକ୍ତି ଭାବରେ ପ୍ରୋଜେକ୍ଟ କରିବା ଆରମ୍ଭ କରିଛି। ଚୀନ୍ ସେନା (ପିଏଲ୍ଏ) ଭାରତୀୟ ସେନାର ଶକ୍ତି ଉପରେ ପ୍ରଶ୍ନ ଉଠାଇଛି ଏବଂ ଭାରତ ତାଙ୍କ ଅସ୍ତ୍ରଶସ୍ତ୍ର ସହିତ ମୁକାବିଲା କରିପାରିବ ନାହିଁ ବୋଲି ଦାବି କରିଛି। ସିଙ୍ଗାପୁରରେ ଆୟୋଜିତ ହୋଇଥିବା ଏସିଆର ସବୁଠୁ ବଡ ସୁରକ୍ଷା ସଂଳାପ “ଶାଙ୍ଗ୍ରି ଲ ଡାଏଲଗ୍” ପରେ ଚୀନ୍ ସେନାର ପ୍ରତିନିଧୀମାନେ କହିଛନ୍ତି ଯେ, ଚୀନ୍ ଭାରତ ତରଫରୁ କୌଣସି ସୁରକ୍ଷା ବିପଦର ସମ୍ମୁଖୀନ ହେଉନାହିଁ। ଚୀନ୍ ସୈନିକମାନେ କହିଛନ୍ତି ଯେ, ଭାରତର ସେନା ଚୀନ୍ ସେନା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବ ନାହିଁ। ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି ‘ପିଏଲ୍ଏ ଏକାଡେମୀ ଅଫ୍ ମିଲିଟାରୀ ସାଇନ୍ସ’ର ସିନିୟର କର୍ଣ୍ଣେଲ ଝାଓ ଜିଆଝାଉ ଜୁନ୍ ୪ ତାରିଖରେ ଶାଙ୍ଗ୍ରି-ଲ ଡାଏଲଗ୍ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚୀନ୍‌ର ପ୍ରତିରକ୍ଷା ଶିଳ୍ପ ଏବଂ ଉତ୍ପାଦନ ତୁଳନାରେ ଭାରତ ବହୁ ପଛରେ ଅଛି। ଆମ ଭଳି ସ୍ଥିତିକୁ ଆସିବା ପାଇଁ ସେମାନଙ୍କୁ ଦଶନ୍ଧି ଲାଗିଯିବ। ‘ସାଉଥ ଚାଇନା ମର୍ନିଂ ପୋଷ୍ଟ’ ଅନୁଯାୟୀ ଜିଆଝାଉ କହିଛନ୍ତି ଯେ, “ଦୁର୍ବଳ ଶିଳ୍ପ ଭିତ୍ତିଭୂମି ହେତୁ ଭାରତ ଆସନ୍ତା କିଛି ଦଶନ୍ଧି ମଧ୍ୟରେ ମଧ୍ୟ ସାମରିକ ଶକ୍ତିରେ ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ଏବଂ ଚୀନ ଏକ ଆଧୁନିକ ପ୍ଲାଟଫର୍ମ ତିଆରି କରିଛି। ଭାରତକୁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ବୋଲି ବର୍ଣ୍ଣନା କରି ଚୀନ୍ ଅଧିକାରୀ ଜିଆଝାଉ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯଦି ଆପଣ ଭାରତୀୟ ସେନାର ସାମରିକ ବ୍ୟବସ୍ଥାକୁ ଦେଖନ୍ତି ତେବେ କୌଣସି ଟ୍ୟାଙ୍କ, ବିମାନ କିମ୍ବା ଯୁଦ୍ଧ ଜାହାଜ ନିଜେ ତିଆରି କରନ୍ତି ନାହିଁ। ଏହା ଅନ୍ୟ ଦେଶ ଉପରେ ନିର୍ଭରଶୀଳ। ଚୀନ୍ ସେନାରେ ୨୦ ଲକ୍ଷ ସୈନିକ ଅଛନ୍ତି। ଭାରତୀୟ ସେନାରେ ୧୩ ଲକ୍ଷ ସୈନିକ ଅଛନ୍ତି। ଚୀନ୍‌ର ଅନ୍ୟ ଜଣେ ସିନିୟର କର୍ଣ୍ଣେଲ ଝାଙ୍ଗ ଚି କହିଛନ୍ତି ଯେ, ଆମ ତୁଳନାରେ ଭାରତ ନିଜର ସେନାକୁ ଆଧୁନିକୀକରଣ କରି ନାହିଁ ଏବଂ ଭାରତ ଯାହା କରିବ, ତାହା ଚୀନ-ଭାରତୀୟ ସମ୍ପର୍କ ଉପରେ ପ୍ରଭାବ ପକାଇବ ନାହିଁ। ଚୀନ୍ ସାମରିକ ଅଧିକାରୀଙ୍କ ଏପରି ବିବୃତ୍ତି ପରେ ବିଶ୍ୱ ଗଣମାଧ୍ୟମରେ ଚୀନ୍ ଏବଂ ଭାରତର ସେନାର ବର୍ତ୍ତମାନର ଶକ୍ତି ତୁଳନା କରିବା ଆରମ୍ଭ ହୋଇଛି। ପ୍ରକାଶ ଯେ, ଭାରତ ଏବଂ ଚୀନ୍ ହେଉଛି ଦୁନିଆର ଦୁଇଟି ଜନବହୁଳ ଦେଶ, ଯାହା ବୃହତ୍ତମ ଅର୍ଥନୀତି ହେବାକୁ ଅଗ୍ରସର ହେଉଛନ୍ତି। ଉଭୟ ଦଶନ୍ଧି ଧରି ସୀମା ବିବାଦରେ ଛନ୍ଦି ହୋଇପଡିଛନ୍ତି। ଉଭୟ ଦେଶରେ ବିଶ୍ୱର ସର୍ବବୃହତ ସେନା ଅଛି ଏବଂ ଉଭୟ ମଧ୍ୟ ପରମାଣୁ ଶକ୍ତି ରାଷ୍ଟ୍ର ଅଟନ୍ତି। ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ -୨୦୨୩ ରେ ଚାଇନାକୁ ବିଶ୍ୱର ତୃତୀୟ ଶକ୍ତିଶାଳୀ ଦେଶ ଏବଂ ଭାରତକୁ ଚତୁର୍ଥ ଶକ୍ତିଶାଳୀ ଦେଶ ଭାବରେ ବର୍ଣ୍ଣନା କରାଯାଇଛି।

Related Articles

Leave a Reply

Your email address will not be published.

Back to top button