ଶେରଗଡରୁ ପୁରୀକୁ ଗଡିଲା ପ୍ରଥମ ଏସି ବସ୍: ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମର ଶେରଗଡରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ। ଓଆରସିଟିସି ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି। ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ। ବିଶେଷ କରି କାର୍ତ୍ତିକ ମାସରେ ଗଂଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ସ୍କୁଲ ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ସବୁବେଳେ ଆଗରେ ରହିଛି। ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି। ସେହିପରି ୫-ଟି ସ୍କୁଲ ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ। ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଂଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲାପାଳ, ଓଆରସିଟିସିର ଅଧିକାରୀ ଓ ଶେରଗଡର ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button