ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି: ବିକ୍ରମ, ସୁଦାମ ଓ ସାରଦା ମନ୍ତ୍ରୀ ହେବେ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ । ୩ ଜଣ ନୂଆ ମନ୍ତ୍ରୀ ହେବେ । ଆଜି ସେହି ୩ ଜଣ ବିଧାୟକଙ୍କକୁ ମନ୍ତ୍ରୀ ହେବା ପାଇଁ ଫୋନ୍ କଲ୍ ମିଳିଥିବା ଜଣାପଡ଼ିଛି । ସେମାନେ ହେଲେ ବିକ୍ରମ କେଶାରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ । ଶ୍ରୀ ଆରୁଖ ପୂର୍ବରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିଲେ । ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବାରୁ ଶ୍ରୀ ଆରୁଖ ବାଚସ୍ପତି ପଦ ସମ୍ଭାଳିଥିଲେ । କିଛି ଦିନ ତଳେ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସେହିଭଳି ସୁଦାମ ମାର୍ଣ୍ଡି ପୂର୍ବରୁ ୫ ଥର ବିଧାୟକ ଓ ୨ ଥର ଏମ୍‌ପି ହୋଇଛନ୍ତି । ସେ ବିଜେଡିରେ ସାମିଲ ହୋଇ ଗତ ନିର୍ବାଚନରେ ବିଜୟୀ ହେବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ଥିଲେ । ସାରଦା ପ୍ରସାଦ ନାୟକ ମଧ୍ୟ ୨୦୦୯ରୁ ୨୦୧୨ ଯାଏ ଯୋଗାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଥିଲେ । ଏହି ୩ ଜଣ ବରିଷ୍ଠ ବିଧାୟକ ହୋଇଥିବାରୁ ସେମାନେ କ୍ୟାବିନେଟ ମନ୍ତ୍ରୀ ହେବାର ସମ୍ଭାବନା ରହିଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଜି ବିଧିବଦ୍ଧ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଶପଥ ଉତ୍ସବ ଲୋକସଭା ଭବନର କନଭେନସନ୍ ହଲରେ ସୋମବାର ପୂର୍ବାହ୍ନ ୯.୫୦ରେ ଅନୁଷ୍ଠିତ ହେବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରାଣ ହରାଇବା କାରଣରୁ ଗୋଟିଏ ମନ୍ତ୍ରୀ ଆସନ ଖାଲି ଥିଲା । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ ଓ ଶ୍ରମ ଓ ନିୟୋଜନ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଆଉ ଦୁଇ ଆସନ ଖାଲି ହୋଇଥିଲା । ତେଣୁ ସୋମବାର ତିନି ମନ୍ତ୍ରୀ ଶପଥ ନେବେ । ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା ନେଇ ଦିନ ତମାମ ନାନା ଆଲୋଚନା ଜାରି ରହିଥିଲା । ନବୀନ ନିବାସରୁ କାହା ପାଖକୁ ଫୋନ ଯାଇଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ତିନି ଜଣଙ୍କ ପାଖକୁ ଫୋନ ଯାଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ଶେଷ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବୋଲି କୁହାଯାଉଛି । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ତେଣୁ ୨୦୨୪ ନିର୍ବାଚନକୁ ନଜର ଦେଇ ଓ ବହୁତ ଭାବିଚିନ୍ତି ‘ଟିମ ନବୀନ’ ତାଲିକା ପ୍ରସ୍ତୁତ କରିଛନ୍ତି ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button