ଶିମିଳିପାଳ ନିଆଁ : ରିପୋର୍ଟ ମାଗିଲେ ବିକ୍ରମ କେଶରୀ ଆରୁଖ

ମୟୁରଭଞ୍ଜ :  ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲ ସମେତ ବେତନଟୀ, ରାସଗୋବିନ୍ଦପୁର, ମୋରଡା ଆଦି ରେଞ୍ଜରେ ମାଡିଚାଲିଛି ନିଆଁ । ଯାହାଫଳରେ ଜଙ୍ଗଲ ଆଖପାଖ ଅଂଚଳରେ ଥିବା ଗାଁ ଗୁଡିକ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ନିଆଁ ଲାଗିବା କାରଣରୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ବଡ଼ କଥା ହେଉଛି, ଶିମିଳିପାଳ ଅଭୟାରଣ୍ୟରୁ କିଛି ହାତୀ ଆସି ଏହି ଜଙ୍ଗଲରେ ବସବାସ କରୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି । 

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ନେଇ ସକ୍ରିୟ ହୋଇଉଠିଛନ୍ତି ରାଜ୍ୟ ସରକାର । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ପିସିସିଏଫ (ବଣ୍ୟପ୍ରାଣୀ)ଙ୍କୁ ଶିମିଳିପାଳ ଗସ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆଜି ଶିମିଳିପାଳ ଗସ୍ତ କରି ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ କରିବେ । ଏହି ରିପୋର୍ଟ ମିଳିବା ପରେ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ  କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର।

Related Articles

Leave a Reply

Your email address will not be published.

Back to top button