ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ କଟିଗଲା ଲାଇନ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ବବିଦ୍ୟାଳୟରେ ଭାଷଣ ଦେଉଥିବା ବେଳେ ଅଭାବନୀୟ ଘଟଣା ଘଟିଛି। ରାଷ୍ଟ୍ରପତି ଭାଷଣ ଦେବାର କିଛି ସମୟ ପରେ ପ୍ରେକ୍ଷାଳୟର ଲାଇନ ଚାଲିଯାଇଥିଲା। ଫଳରେ ରାଷ୍ଟ୍ରପତି ଭାଷଣ ନ ଦେଇ ଲାଇନକୁ ଅପେକ୍ଷା କଲେ। ହେଲେ କିଛି ସମୟ ଧରି ଲାଇନ ନ ଆସିବାରୁ ସେହି ଅନ୍ଧାରରେ ରାଷ୍ଟ୍ରପତି ଭାଷଣ ଦେବାକୁ ବାଧ୍ୟ ହୋଇଥିଲେ। ପୋଡିୟମରେ ଥିବା ଏକ ଚାର୍ଯ୍ୟ ଲାଇଟ ମାଧ୍ୟମରେ ସେ ଭାଷଣକୁ ଚାଲୁରଖିଲେ। ପ୍ରାୟ ନ ମିନିଟ ଧରି ପ୍ରେକ୍ଷାଳୟର ବିଦ୍ୟୁତ ଯୋଗାଣ ବନ୍ଦ ରହିଥିଲା। ଲାଇନ କଟିବାକୁ ନେଇ ରାଷ୍ଟ୍ରପତି ବିରକ୍ତି ଭାବ ଜଣାପଡୁଥିଲେ ମଧ୍ୟ ସେ ଏ ନେଇ କିଛି କହି ନ ଥିଲେ। ହେଲେ ସେ କହିଥିଲେ ଯେ, ‘ଆଲୁଅ ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବିନି ଥକି’। ପରିସ୍ଥିତିକୁ ହାଲକା କରିବା ପାଇଁ ରାଷ୍ଟ୍ରପତି ଏପରି କହିଥିଲେ। ହେଲେ ସେଠାକାର ଉପସ୍ଥିତ ଲୋକେ ତାହାକୁ ସହଜରେ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଖବର ଜାଣିବା ପରେ ଆରଡିସି ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ବିଦ୍ୟୁତ ଯୋଗାଣ କଂପାନୀର ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ତେବେ ଏହି ଘଟଣା ପରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ପ୍ରତିକ୍ରିୟା ନେଇ ଲୋକେ ଅଧିକ ବିରକ୍ତିକର ହୋଇପଡିଛନ୍ତି। କୁଳପତି କହିଲେ ଯେ, ବିଭ୍ରାଟ ନ ଥିଲେ କାର୍ଯ୍ୟକ୍ରମର ସୁଆଗ ନ ଥାଏ। ଆମେ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିସାରିଛୁ। ଲାଇନ କଟିବା ପରେ ହଠାତ ଜେନେରେଟର ଚାଲି ନ ଥିଲା। ତେବେ ଏହି ଘଟଣା ନେଇ ଟାଟା ପାୱାର ତାହାର ଦୋଷ ତୁଟାଇ କହିଲା ଯେ, ଆମର କିଛି ଭୁଲ ନାହିଁ। ଟାଟା ପାୱାର ଏବଂ ଭିସିଙ୍କ ଉତ୍ତର ନେଇ ବିଭିନ୍ନ ମହଲରେ ବିରୋଧ କରିବା ଆରମ୍ଭ ହୋଇଯାଇଛି।

Related Articles

Leave a Reply

Your email address will not be published.

Back to top button