ଆତ୍ମହତ୍ୟା ଭାଇରସର ଆଣ୍ଟିଭାଇରସ ସାଜିଛି ମୁମ୍ବାଇ ପୋଲିସ

ମୁମ୍ବାଇ: ଆତ୍ମହତ୍ୟା ଏବେ ଯୁବପିଢ଼ିଙ୍କ ପାଇଁ ଗୋଟିଏ ନୂଆ ଭାଇରସ । ଯାହାର ଆଣ୍ଟିଭାଇରସ ହୋଇ ଛିଡ଼ା ହୋଇଛି ମୁମ୍ବାଇ ପୋଲିସ । ପୋଲିସ ଇନ୍ସପେକ୍ଟର ସୁବର୍ଣ୍ଣା ସିନ୍ଦେ ଓ ତାଙ୍କ ଦଳ ଜଣେ ବାଳକର ଆତ୍ମହତ୍ୟା ଯୋଜନାକୁ ପଣ୍ଡ କରି ତାକୁ ନୂଆ ଜୀବନ ଦେଇଛନ୍ତି। ତାଙ୍କର ସାଇବର ପୁଲିସ ବାହିନୀର ସହଯୋଗୀମାନେ ତାଙ୍କୁ ଜଣେ ବାଳକର ଫୋନ ନମ୍ବର ଦେଇଥିଲେ, ଯିଏ ଆତ୍ମହତ୍ୟା କରିବାକୁ ସୋସିଆଲ ମିଡ଼ିଆରେ ଘୋଷଣା କରିଥିଲା। ସୋଲାପୁର ଗାଁର ଏହି ତରୁଣଟି ପରୀକ୍ଷାରେ ଫେଲ ହୋଇଥିବାରୁ ଅତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲା। ସିନ୍ଦେ କାଳବିଳମ୍ବ ନ କରି ବାଳକ ସହ ଫୋନ୍‌ରେ ଚାଟିଂ କରିଥିଲେ। ତାକୁ ନିଜର ସାଙ୍ଗ ପରି ସସ୍ନେହେ କହିଥିଲେ, ତୁମେ ଫେଲ ହୋଇଛ ବୋଲି ଆତ୍ମହତ୍ୟା କରିବାକୁ କାହିଁକି ଚିନ୍ତା କରୁଛ ? କେତେ ପିଲା ଫେଲ ହେଉଛନ୍ତି। ମୁଁ ବି ଛୋଟ ବେଳେ ଫେଲ ହୋଇଥିଲି। ମୁଁ କ’ଣ ଆଶା ଛାଡ଼ି ଦେଇଥିଲି ? ହେଇ ଦେଖ, ଆଜି ମୁଁ ଜଣେ ପୁଲିସ ଅଫିସର ହୋଇପାରିଛି। ବାଳକ ମନରେ ଏଭଳି ଉତ୍ସାହପ୍ରଦ ବାର୍ତ୍ତା ସୁପ୍ରଭାବ ପକାଇଥିଲା। ବାର୍ତ୍ତାଳାପ ସରିଲା ବେଳକୁ ସେ ଫେସ୍‌ବୁକ୍‌ରୁ ପୋଷ୍ଟଟି ହଟାଇବା ସହ ଆତ୍ମହତ୍ୟା ନିଷ୍ପତ୍ତିରୁ ଓହରିଥିଲା। ସିନ୍ଦେ ହେଉଛନ୍ତି ଛଅଜଣିଆ ସାଇବର ପୁଲିସ ଦଳର ଏକ ଅଂଶ, ଯେଉଁମାନେ ମେଟା କମ୍ପାନିଠାରୁ ଫେସ୍‌ବୁକ୍ ଓ ଇନ୍‌‌ଷ୍ଟାଗ୍ରାମ୍‌ରେ ଆତ୍ମହତ୍ୟା ଭାବନା ସମ୍ବଳିତ ପୋଷ୍ଟଗୁଡ଼ିକ ଉପରେ ସୂଚନା ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ଗତ ଜାନୁଆରିରୁ ଏପ୍ରିଲ ଭିତରେ ସାଇବର ପୁଲିସଙ୍କର ଏହି ୬ ଜଣିଆ ଦଳ ଭାରତରେ ମୋଟ ୩୧ଟି ଆତ୍ମହତ୍ୟା ଯୋଜନାକୁ ପଣ୍ଡ କରିଛନ୍ତି। ଅନଲାଇନ ଅପରାଧ ନିୟନ୍ତ୍ରଣ କରିବାର ନିଜର ନିୟମିତ ଦାୟିତ୍ବ ସହ ସେମାନେ ମେଟା କମ୍ପାନି ପଠାଉଥିବା ଆଲର୍ଟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି।ମେଟା କେବଳ ମହାରାଷ୍ଟ୍ର ନୁହେଁ, ଅନ୍ୟ ଅଞ୍ଚଳର ସୂଚନା ବି ଦେଇଥାଏ। ଥରେ ବାରାଣସୀର ଜଣେ ବାସିନ୍ଦା ଏକ ଭିଡିଓ କ୍ଲିପ୍ ଅପ୍‌ଲୋଡ୍‌ କରିଥିଲେ, ଯେଉଁଥିରେ ଦେଖିବାକୁ ମିଳିଥିଲା ଛୋଟ ପିଲାମାନେ ବାପା ଦେଉଥିବା କିଛି ତରଳ ପଦାର୍ଥ ପିଇବାକୁ ରାଜି ହେଉ ନାହାନ୍ତି। ସେମାନେ ମଧ୍ୟ ଏହା ନ ପିଇବାକୁ ତାଙ୍କ ବାପାଙ୍କୁ ଅନୁରୋଧ କରୁଛନ୍ତି। ସିନ୍ଦେ ସଂଗେସଂଗେ ଉକ୍ତ ଲୋକକୁ ଫୋନ୍ କରି କ’ଣ ସମସ୍ୟା ହୋଇଛି ଓ ସେ କିପରି ତାଙ୍କୁ ସାହାଯ୍ୟ କରିପାରିବେ ବୋଲି ପଚାରିଥିଲେ। ଲୋକ ଜଣକ କହିଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କୁ ଓ ପିଲାମାନଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଛି। ଭିଡିଓ କ୍ଲିପ୍ ସେୟାର କଲେ ତାଙ୍କ ସ୍ତ୍ରୀ ନିଜ କାର୍ଯ୍ୟ ପାଇଁ ଦୁଃଖପ୍ରକାଶ କର‌ିବେ ଓ ଅନୁତପ୍ତ ହେବେ ଭାବି ସେ ଏହା ‌ପୋଷ୍ଟ କରିଥିବା ପ୍ରକାଶ କରିଥିଲେ। ସିନ୍ଦେଙ୍କ ସହ କଥାବାର୍ତ୍ତା ପରେ ସେ ଭିଡିଓଟିକୁ ଡିଲିଟ କରିଦେଇଥିଲେ ଓ ଆତ୍ମହତ୍ୟା ନିଷ୍ପତ୍ତିରୁ ଓହରିଥିଲେ। ଏହିପରି ଭାବେ ମହାରାଷ୍ଟ୍ର ସାଇବର ପୁଲିସ ଟିମ୍‌ର ଉଦ୍ୟମ ଯୋଗୁ ଅନେକ ଜୀବନ ବଞ୍ଚିଯାଇ ପାରୁଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published.

Back to top button