ଖୋର୍ଦ୍ଧା ଶିଳ୍ପାଞ୍ଚଳ ଓ କେନ୍ଦୁଝର ବଡବିଲରେ ଟ୍ରାଫିକ ପୋଲିସ ଷ୍ଟେସନକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସଂପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଏହି ପୋଲିସ ଷ୍ଟେସନରେ ସୃଷ୍ଟି ହୋଇଥିବା ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନ୍‌ସପେକ୍ଟର, ୬ଟି ସବ୍‌ଇନ୍ସପେକ୍ଟର, ୩ଟି ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ୨ଟି ହାବିଲଦାର ଏବଂ ୧୧ଟି କନେଷ୍ଟବଳ ପଦବୀ ରହିଛି। ସେହିପରି ରାଜ୍ୟ ସରକାର କେନ୍ଦୁଝର ଓ ବଡ଼ବିଲ ସହରରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ମଧ୍ୟ ସୃଷ୍ଟି କରିଛନ୍ତି ଏବଂ ଏଥିପାଇଁ ୨୪ଟି ନୂତନ ପଦବୀ ମଞ୍ଜୁରୀ କରାଯାଇଛି । ଏ ସଂପର୍କୀୟ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ଏହାଦ୍ଵାରା ଏହି ଦୁଇଟି ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ପାଇଁ ସୃଷ୍ଟି ହୋଇଥିବା ୨୪ଟି ପଦବୀ ମଧ୍ୟରେ ୨ଟି ଇନ୍‌ସପେକ୍ଟର, ୬ଟି ଆସିଷ୍ଟାଣ୍ଟ ସବ୍‌ଇନସ୍‌ପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ରହିଛି ।

Related Articles

Leave a Reply

Your email address will not be published.

Back to top button