Trending

ପ୍ରେମକୁ ମିଳିଲା ସ୍ୱୀକୃତି, ବିବାହ କଲେ ସବ୍ୟ-ଅର୍ଚ୍ଚିତା

ଭୁବନେଶ୍ୱର: ବିବାହ ବନ୍ଧନରେ ଆବଦ୍ଧ ହେଲେ ସବ୍ୟସାଚୀ ଓ ଅର୍ଚ୍ଚିତା | ଆଜି ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ଏବଂ ଅର୍ଚିତାଙ୍କ ବିବାହ ଅବସରରେ ତାଙ୍କ ଫ୍ୟାନ୍ସମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଛନ୍ତି | ବିବାହ ପୂର୍ବରୁ ଦୁହିଁଙ୍କ ହଳଦି ଲଗାଯାଉଥିବା ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି | ଗତକାଲି ଦୁହେଁ ରିଙ୍ଗ ସେରିମୋନୀ ପାର୍ଟିରେ ଖୁବ ଖୁସି ଥିବାର ଫଟୋ ମଧ୍ୟ ସେୟାର କରିଥିଲେ |

Sabyasachi

ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ସୋସିଆଲ ମିଡିଆରେ ବିବାହକୁ ନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି | ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଦୁହେଁ | ସବ୍ୟସାଚୀ ନିଜ ପ୍ରଶଂସକଙ୍କୁ ଟୁଇଟ୍ କରି କହିଛନ୍ତି, ”ଆପଣମାନେ ସମସ୍ତେ ଆମ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ | ଆପଣମାନେ ଆମର ଉଭୟ ଭଲ ଓ ଖରାପ ସମୟରେ ଆମ ଉପରେ ଆଶୀର୍ବାଦ ଢ଼ାଳି ଦେଇଛନ୍ତି | ଆଜିର ଏହି ଗୁରୁତ୍ବପୂର୍ଣ୍ଣ ଦିନରେ ଆପଣଙ୍କୁ କିଭଳି ଭୁଲିଯିବୁ? ଜୀବନର ଏଇ ନୂତନ ଯାତ୍ରା ଆରମ୍ଭ କରୁଥିବା ବେଳେ ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ |”

ସବ୍ୟ ନିଜ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି,”ସୁଖ ଓ ଦୁଃଖ ର ନାମ ଜୀବନ | ଅନେକ ଥର ଲାଗେ, ସବୁକିଛି ସରିଗଲା | ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ | ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା | ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ |”

ସବ୍ୟସାଚୀ- ଅର୍ଚ୍ଚିତାଙ୍କ ପ୍ରଥମେ ଚଳଚ୍ଚିତ୍ର ‘ମୁଁ ସପନର ସୌଦାଗର’ ରେ ଦୁହେଁ ଏକାଠି ଅଭିନୟ କରିଥିଲେ | ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦୁହିଁଙ୍କ ଅଭିନୟକୁ ପ୍ରଶଂସା କରିଥିଲେ ଦର୍ଶକ | ଏହାପରେ ଦୁହେଁ ‘ତୋର ମୋର ଯୋଡ଼ି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ମୁଁ ଏକା ତୁମର’, ‘ହେଲା ମତେ ପ୍ରେମ ଜର’, ‘ପିଲାଟା ବିଗିଡ଼ି ଗଲା’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’ ,‘ପାଗଳ କରିଛି ପାଉଁଜି ତୋର’, ସ୍ମାଇଲ ପ୍ଲିଜ, ‘ବାଏ ବାଏ ଦୁବାଇ’ ଓ ‘ଛାତି ତଳେ ଡିଙ୍ଗଡଙ୍ଗ୍’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇପାରିଛନ୍ତି | ଆଗାମୀ ଚଳଚିତ୍ର ‘ଅଭିମାନ’ ଖୁବ ଶୀଘ୍ର ମୁକ୍ତିଲାଭ କରିବା |

ତେବେ ଲକଡାଉନ ସମୟରେ ସବ୍ୟସାଚୀଙ୍କୁ ରିଲ ହିରୋରୁ ରିଏଲ ହିରୋ ହେବାର ଦେଖିଛି ଓଡିଶା | କେବେ ପ୍ରବାସୀ ଓଡିଆଙ୍କୁ ଓଡିଶା ମାଟିକୁ ଆଣିବା ହେଉ କେବେ ବାହାରେ ପଶିଥିବା ଲୋକଙ୍କୁ ସାହାଯ୍ୟ କରିବା ଇତ୍ୟାଦି | ସେଇଥିପାଇଁ ତ ତାଙ୍କୁ ଓଡିଶାର ସୋନୁ ସୁଦ ବି କେହି କେହି କହୁଥିଲେ | ଦୁଇ ଦିନ ତଳେ ପୁରୀର କୁନି ପଣ୍ଡାଙ୍କ ହାତର ଟ୍ୟୁମରକୁ ଏମସରେ ଭଲକରାଇଥିଲେ ସବ୍ୟସାଚୀ | ତେଣୁ ଅଭିନୟ ସହ ସାମାଜିକ କାମରେ ନିଜକୁ ନିୟୋଜିତ କରି ଲୋକଙ୍କ ହୃଦୟ ଜିଣିଥିବା ସବ୍ୟସାଚୀଙ୍କର ଶେଷରେ ହାତଗଣ୍ଠି ପଡିବାକୁ ଯାଉଛି |

Related Articles

Leave a Reply

Your email address will not be published.

Back to top button