ଖରାଛୁଟିରେ ଛାତ୍ରୀଛାତ୍ରଙ୍କୁ ମିଳିବ ଆଇରନ ଟାବ୍‌ଲେଟ

ଭୁବନେଶ୍ୱର: ଖରାଛୁଟିରେ ଛାତ୍ରୀଛାତ୍ରଙ୍କୁ ଆଇରନ ଓ ଫଲିକ୍‌ ଏସିଡ୍‌(ଆଇଏଫ୍‌ଏ) ଟାବ୍‌ଲେଟ ବା ବଟିକା ମିଳିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର. ଆୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଚଳିତବର୍ଷ ଆଗୁଆ ଅର୍ଥାତ୍‌ ୧୯ ଏପ୍ରିଲରୁ ୧୬ ଜୁନ୍‌ ଯାଏ ଖରାଛୁଟି ହୋଇଥିବାରୁ ଆସନ୍ତା ସୋମବାରଠାରୁ ଶିକ୍ଷକମାନେ ପିଲାଙ୍କ ଘରକୁ ଯାଇ ଅଭିଭାବକଙ୍କୁ ଏହି ଟାବ୍‌ଲେଟ୍‌ ପ୍ରଦାନ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି।୨୦୨୨ରେ ଆରମ୍ଭ ହୋଇଥିବା ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଳାନ) ଅଧୀନରେ ଗ୍ରୀଷ୍ମଛୁଟିରେ ପ୍ରତି ସୋମବାର ଏହି ଟାବଲେଟ୍‌ ବଣ୍ଟନ କରାଯିବ। ସେହିପରି ଛାତ୍ରୀଛାତ୍ର ପିଛା ୮ଟି ଆଇଏଫ୍‌ଏ ଟାବଲେଟ ଦିଆଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଗୋଲାପୀ ଏବଂ ଷଷ୍ଠରୁ ଦ୍ୱାଦଶ ଛାତ୍ରୀଛାତ୍ରଙ୍କୁ ନୀଳ ଟାବଲେଟ୍‌ ଦିଆଯିବ। ଟାବ୍‌ଲେଟ୍‌ ବଣ୍ଟନ ପୂର୍ବରୁ ଏକ୍ସପାଏରି ଡେଟ୍‌ ଯାଞ୍ଚ ହେବ। ଏକ୍ସପାଏରି ଟାବ୍‌ଲେଟକୁ ସ୍ବାସ୍ଥ୍ୟ ବିଭାଗକୁ ଫେରସ୍ତ କରାଯିବ। ସେହିପରି ଅଭିଭାବକଙ୍କୁ ଟାବ୍‌ଲେଟ ହସ୍ତାନ୍ତର ପୂର୍ବରୁ ଏହାର ସେବନ ସମ୍ପର୍କରେ ଅବଗତ କରାଯିବ। ଛାତ୍ରୀଛାତ୍ର ସପ୍ତାହକୁ ଥରେ ମଧ୍ୟାହ୍ନଭୋଜନ ଓ ରାତ୍ରୀଭୋଜନ ପରେ ଗୋଟିଏ ଆଇଏଫ୍‌ଏ ଟାବଲେଟ୍‌ ସେବନ କରିବେ। ଟାବଲେଟ୍‌ ଖାଇ ଗୋଟିଏ ଗ୍ଲାସ ପାଣି ପିଇବେ। ଏସବୁ ଅଭିଭାବକଙ୍କ ଉପସ୍ଥିତିରେ କରାଯିବ। ଆବଶ୍ୟକସ୍ଥଳେ ବିଦ୍ୟାଳୟ ପରିଚାଳନା କମିଟି ଏହାର ତଦାରଖ କରିବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳ କିମ୍ବା ସନ୍ଧ୍ୟା ସମୟରେ ଏହି ଔଷଧ ବଣ୍ଟନ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Related Articles

Leave a Reply

Your email address will not be published.

Back to top button