ପଙ୍କଜ ସିଂହ ସିଏଫ୍‌ଆଇ ସଭାପତି ନିର୍ବାଚିତ

ନୂଆଦିଲ୍ଲୀ : ନୋଏଡା ବିଜେପି ବିଧାୟକ ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୁପୁତ୍ର ପଙ୍କଜ ସିଂହ ଭାରତୀୟ ସାଇକ୍ଲିଂ ମହାସଂଘ (ସିଏଫ୍‌ଆଇ)ର ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଉତ୍ତରାଖଣ୍ଡର ନୈନିତାଲ୍‌ଠାରେ ରବିବାର ଅନୁଷ୍ଠିତ ସିଏଫ୍‌ଆଇର ବାର୍ଷିକ ସାଧାରଣ ପରିଷଦ ବୈଠକରେ ପଙ୍କଜଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି । ସେହିପରି ମନିନ୍ଦର ପାଲ୍ ସିଂହ କ୍ରମାଗତ ଦ୍ୱିତୀୟ ଥର ପାଇଁ ମହାସଚିବ ଭାବେ ନିର୍ବାଚିତ ହୋଇଥିବା ବେଳେ କେରଳର ସୁଦୀଶ କୁମାର କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ ସିଏଫ୍‌ଆଇ ସ୍ୱୀକୃତିପ୍ରାପ୍ତ ୨୬ଟି ରାଜ୍ୟ ଓ ବୋର୍ଡର ପ୍ରତିନିଧି ଯୋଗଦେଇଥିଲେ ।କାର୍ଯ୍ୟକାରୀ ପରିଷଦ ପାଇଁ ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିଆଣା, ଉତ୍ତରାଖଣ୍ଡ, ଗୁଜରାଟ, କେରଳ ଓ ତେଲେଙ୍ଗାନାର ଦୁଇ ଜଣ ଲେଖାଏଁ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଏହାଛଡ଼ା ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ବିହାର, ତାମିଲନାଡ଼ୁ, ଓଡ଼ିଶା, ହିମାଚଳ ପ୍ରଦେଶ ଓ ଆଣ୍ଡାମାନ୍‌-ନିକୋବରରୁ ଜଣେ ଲେଖାଏଁ ପରିଷଦରେ ସ୍ଥାନ ପାଇଛନ୍ତି । ସଭାପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀ ସିଂହ ଦେଶର ପ୍ରତିଟି କ୍ରୀଡ଼ାବିତ୍ କିପରି ଅତ୍ୟାଧୁନିକ ସୁବିଧାସୁଯୋଗ ପାଇପାରିବେ, ତା’ ଉପରେ ଫୋକସ୍ କରିବେ ବୋଲି କହିଛନ୍ତି । ଏଥିସହ ସେ ତୃଣମୂଳ ସ୍ତରରେ ଅଧିକରୁ ଅଧିକ ପ୍ରତିଯୋଗିତାର ଆୟୋଜନ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହା ମାଧ୍ୟମରେ ଭାରତ ଅନ୍ତର୍ଜାତୀୟ ସ୍ତରରେ ସାଇକ୍ଲିଂ ପ୍ରତିଯୋଗିତାରେ ଅଧିକରୁ ଅଧିକ ପଦକ ହାସଲ କରିପାରିବ ବୋଲି ଶ୍ରୀ ସିଂହ ଆଶା ବ୍ୟକ୍ତ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button