କମିବ ତାତି, ବଦଳିବ ପାଗ !

ନୂଆଦିଲ୍ଲୀ: ପ୍ରଚଣ୍ତ ତାତିରେ କଲବଲ ରାଜ୍ୟବାସୀ । ଆକାଶରୁ ହେଉଛି ନିଆଁ ବର୍ଷା। ଦିନ ବଢିବା ସହ ତାପମାତ୍ରା ଅସହ୍ୟ ହୋଇପଡୁଛି । ଦିନ ୧୨ଟା ବେଳକୁ ଶୂନଶାନ ହୋଇଯାଉଛି ରାସ୍ତାଘାଟ । ପରିସ୍ଥିତି ଏମିତି ହେଉଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଢହ ଢହ ଖରାରେ ସିଝୁଛନ୍ତି ଲୋକେ।ତେବେ ଆଜିଠାରୁ ପାଗରେ ପରିବର୍ତ୍ତନ ହେବାକୁ ଥିବାବେଳେ ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଗୁରୁଚାପ ବଳୟ ପ୍ରଭାବ ଯୋଗୁଁ ତାପମାତ୍ରା ହ୍ରାସ ପାଇବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଗରେ ପରିବର୍ତ୍ତନ ଆସିବା ନେଇ ଆଞ୍ଚିଳକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଫଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । କୋରାପୁଟ ଓ କଳାହାଣ୍ତି ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେପଟେ ୨୨ ତାରିଖ ସକାଳ ସମୟରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି କଳାହାଣ୍ତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଞ୍ଜାମ, କନ୍ଧମାଳ, ଗଜପତି ଓ ନବରଙ୍ଗପୁର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପଟେ ୨୩ ତାରିଖ ଲାଗି ମାଲକାନଗିରି, କୋରାପୁଟ, ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୁଳ, କନ୍ଧମାଳ ଓ ଯାଜପୁର ଇତ୍ୟାଦି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରକାଶ ଥାଉ କି, ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ରାଜ୍ୟ ସରକାର ଖରା ଛୁଟି ଘୋଷଣା କରିଛନ୍ତି। ଆଜିଠାରୁ ରାଜ୍ୟର ସମସ୍ତ ସରକାର ଓ ବେସରକାରୀ ସ୍କୁଲ ବନ୍ଦ ରହିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର୍‌ କରିଛି।  ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଛୁଟି ଘୋଷଣା କରାଯାଇଛି। ପ୍ରକାଶ ଥାଉ କି, ସେପଟେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଥିଲା । ସମସ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଖରା ଯୋଗୁଁ ରାଜ୍ୟବାସୀଙ୍କୁ ସର୍ତକ କରିବା ସହ ସଚେତନ କରାଇବା ନେଇ ନିର୍ଦ୍ଦେଶ ରହିଛି । ଖରାପ ନଳକୂଳର ମରାମତି, ପ୍ରତ୍ୟେକ ଗାଁରେ ପାନୀୟ ଆବଶ୍ୟକୀୟ ପୂରଣ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, କେନାଲରେ ପାଣି ଛାଡିବା, ଜଳସେବା କେନ୍ଦ୍ର ଖୋଲାଯିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ, ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ଲାଗି ବାରଣ, ପଡ଼ିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସଚେତନ କରାଯିବ, ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଓ ଓଆରଏସ୍ ରଖାଯିବା ନେଇ ବ୍ୟବସ୍ଥା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button