ସମ୍ବଲପୁର ହିଂସା: ପରୀକ୍ଷାର୍ଥୀଙ୍କ ପାଇଁ କୋହଳ ହେଲା କର୍ଫ୍ୟୁ

ଭୁବନେଶ୍ବର: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ଯୋଗୁଁ ଗତକାଲି ରାତିରୁ କର୍ଫ୍ୟୁ ଜାରି କରାଯାଇଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏ ସଂପର୍କରେ ଆଜି ସମୀକ୍ଷା କରିଛନ୍ତି । ସ୍ଥାନୀୟ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ବଂଶଲ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଯେଉଁମାନେ ଏହି ଘଟଣା ସହିତ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି । ଘଟଣାର ତଦନ୍ତ ଚାଲିଛି । ସମ୍ବଲପୁରବାସୀ ଭୟଭୀତ ହୁଅନ୍ତୁ ନାହିଁ । ଦିନେ ଦୁଇ ଦିନ ଭିତରେ ପରିସ୍ଥିତି ସ୍ୱାଭାବିକ ହେବ । ଡିଜିପି ଶ୍ରୀ ବଂଶଲ ଆଜି ଅପରାହ୍ଣ ପ୍ରାୟ ୪ଟାରେ ସମ୍ବଲପୁରରେ ପହଞ୍ଚିଥିଲେ । ସେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ସ୍ଥାନୀୟ ଜମାଦାରପାଲ୍ଲୀ ଏୟାରଷ୍ଟିପ୍‌ରେ ପହଞ୍ôଚବା ପରେ ସେଠାରୁ ସିଧାସଳଖ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ଯାଇଥିଲେ । ତାଙ୍କ ସହିତ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଓ ଗୁଇନ୍ଦା ଏଡିଜି ସଞ୍ଜୀବ ପଣ୍ଡା ଥିଲେ । ଏହି ବରିଷ୍ଠ ପୁଲିସ ଅଧିକାରୀମାନେ ସହରରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସ୍ୱାଭାବିକ ସ୍ତରକୁ ଆଣିବା ପାଇଁ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସହିତ ବୈଠକ କରିଥିଲେ । ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା (ସୋନପୁର, ବରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ ସୀମାକୁ ଲାଗି ଥିବା ଅଞ୍ଚଳ)କୁ ସିଲ୍ କରାଯାଇଛି । ଏନେଇ ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଏଣେ ସ୍ଥିତିକୁ ଦେଖି ଅଧିକସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି । କର୍ଫ୍ୟୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ସମ୍ବଲପୁର ଜିଲ୍ଲାରେ ଗୁରୁବାର ଠାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁଣି ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ନେଇ ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ କହିଛନ୍ତି । ଗତ ୧୨ ତାରିଖ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ପରେ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ସ୍ୱରୂପ ୧୪୪ ଧାରା ଜାରି କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୧୩ ତାରିଖ ସକାଳ ୧୦ଟାରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ଏସବୁ ସତ୍ତ୍ୱେ ସମ୍ବଲପୁରରେ ହିଂସା ଥମିନାହିଁ । ଅରାଜକତା ସୃଷ୍ଟି ହୋଇଛି । ବ୍ୟାପକ ଜଳାପୋଡ଼ା ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି । ତେବେ ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରି କାମରେ ଲୋକେ ବାହାରକୁ ବାହାରିପାରିବେ । ଏହାବ୍ୟତୀତ ବସ ଚଳାଚଳ ବନ୍ଦ ରହିବ । ସେହିପରି ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟ ସମୟରେ ସହର ଭିତରଦେଇ ଯାଇପାରିବେ ନାହିଁ । ସେପଟେ ଜରୁରି ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଣ୍ଟିଆ ହେଲପଲାଇନ ନମ୍ବର ( ୭୬୫୫୮୦୦୭୬୦) ଜାରି କରାଯାଇଛି । ଅନ୍ୟପଟେ କାଲି ହେବାକୁ ଥିବା ବିଭିନ୍ନ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ନିମନ୍ତେ ସମ୍ବଲପୁରରେ କର୍ଫ୍ୟୁ କଟକଣା କୋହଳ କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ପାଇଁ ଏହି କଟକଣା କୋହଳ ହୋଇଛି । ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ବିଜ୍ଞପ୍ତିର ଅନ୍ୟ ସମସ୍ତ ନିର୍ଦ୍ଦେଶ ବଳବତ୍ତର ରହିବ । ତେବେ ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ଆସନ୍ତାକାଲି ବିଭିନ୍ନ ପରୀକ୍ଷା ଥିବାରୁ ଏହାକୁ ଲକ୍ଷ୍ୟରେ ରଖି ସକାଳ ସାଢ଼େ ୭ଟାରୁ ପୂର୍ବାହ୍ନ ୧୦ ଟା ୩୦ ପର୍ଯ୍ୟନ୍ତ ଏବଂ ପୁନଶ୍ଚ ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣାକୁ ଢିଲା କରାଯିବ । ପିଲାମାନେ ଆଡମିଟ୍ କାର୍ଡ ନେଇ ପରୀକ୍ଷାକୁ ଯାଆନ୍ତୁ । କିଛି ଅସୁବିଧା ହେବନି, କେହି ଅଟକାଇବେନି । ଅସୁବିଧା ହେଲେ ଟୋଲ ଫ୍ରି ନମ୍ବର ୦୬୬୩୨୪୦୩୬୪୪କୁ ଯୋଗାଯୋଗ କରି ସହାୟତା ନେଇପାରିବେ । ଏହି ସମୟରେ ସାଧାରଣ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ ସମ୍ବଲପୁର କ୍ଷେତରାଜପୁର, ସମ୍ବଲପୁର ଷ୍ଟେସନ ଓ ଅଇଁଠାପାଲି ଠାରେ କିଛି ବସ୍ ରହିବ । ଏହି ବସ୍‌ଗୁଡ଼ିକ ପରୀକ୍ଷା ହେଉଥିବା ସବୁ ପରୀକ୍ଷା କେନ୍ଦ୍ର ଦେଇ ଯିବ । ପିଲାମାନେ ଚାହିଁଲେ ଏହି ବସ୍ ଯୋଗେ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ର ସ୍ଥଳରେ ମଧ୍ୟ ଖାଦ୍ୟ ଖାଇବାର ବ୍ୟବସ୍ଥା କରାଯାଇଛି । ସେମାନେ ପଇସା ଦେଇ ଏଠାରେ ଖାଦ୍ୟ ଖାଇପାରିବେ । ଆହାର କେନ୍ଦ୍ର ଏହି ଖାଦ୍ୟ ପରଷିବ । ଆରଟିଓ ଏହି କଟକଣା ଢିଲା ସମୟରେ ଯାତାୟତ ବ୍ୟବସ୍ଥାର ସୁବିଧାକୁ ନିରୀକ୍ଷଣ କରିବେ । ପୂର୍ବ ନିର୍ଦ୍ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସକାଳ ୮ଟାରୁ ପୂର୍ବାହ୍ନ ୧୦ଟା ଏବଂ ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୫ଟା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ତେବେ ପରୀକ୍ଷାକୁ ଦୃଷ୍ଟିରେ ରଖି ସମୟରେ ପରିବର୍ତ୍ତନ କରାଯାଇଥିବା ଜିଲ୍ଲାପାଳଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି । ସେହିପରି ସ୍ଥିତି ଜଟିଳ ଥିବାରୁ ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୁଲିସ । କୌଣସି ମେଡିକାଲରେ ଏମର୍ଜେନ୍ସି ଯଦି ପଡ଼େ, ତେବେ ହେଲ୍ପଲାଇନ୍ ନମ୍ବର ୭୬୫୫୮୦୦୭୬୦ରେ କଲ୍ କରିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି ।

Related Articles

Leave a Reply

Your email address will not be published.

Back to top button