ନିୟମିତ ହେଲେ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହେବାର ୫ ମାସ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି । ଚୁକ୍ତିଭିତ୍ତିକ/ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ନିୟମିତ ହେବା ନେଇ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ପ୍ରଶାସନ ବିଭାଗର ଓଡ଼ିଶା ଗ୍ରୁପ-ବି ପଦ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ, ୨୦୧୩ ଅନ୍ତର୍ଗତ ଯେଉଁ ଶିକ୍ଷକମାନେ ପ୍ରାରମ୍ଭିକ ନିଯୁକ୍ତି ପାଇଥିଲେ ସେମାନଙ୍କ ଚାକିରି ଓଡ଼ିଶା ଗ୍ରୁପ-ବି,ସି,ଡି ପଦ(ଉଚ୍ଛେଦ ଓ ସ୍ୱତନ୍ତ୍ର ପ୍ରାବଧାନ) ରୁଲସ୍‌-୨୦୨୨ ଆଧାରରେ ନିୟମିତ ହେବ । ଶିକ୍ଷକମାନଙ୍କ ନିଯୁକ୍ତି ବର୍ଷ ଓ ମେରିଟ୍ ଲିଷ୍ଟ ଅନୁସାରେ ସେମାନଙ୍କର ବରିଷ୍ଠତା ବିବେଚନା କରାଯିବ । ସେହିପରି ଯେଉଁ ଶିକ୍ଷକମାନେ ଓଡ଼ିଶା ଗ୍ରୁପ-ବି ପଦ(ଚୁକ୍ତିିଭିତ୍ତିକ ନିଯୁକ୍ତି) ରୁଲସ-୨୦୧୩ ପୂର୍ବରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ ତଥା ସେମାନେ ଏହି ରୁଲସ୍ ବିଜ୍ଞପ୍ତି ଜାରି ହେବା ପୂର୍ବରୁ ୬ବର୍ଷ ଚାକିରି ପୂରଣ କରିନଥିଲେ ସେମାନଙ୍କ ଚାକିରିର ନିୟମିତ ଅବଧି ଗଣଶିକ୍ଷା ବିଭାଗ ୨୦୦୮ ଓ ୨୦୧୧ ମସିହାର ବିଜ୍ଞପ୍ତି ଆଧାରରେ ବିବେଚନା କରାଯିବ । ଓଆରଭି ନିୟମକୁ ପାଳନ କରି ଏହି ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ନିଯୁକ୍ତିକୁ ନିୟମିତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏନେଇ ସ୍ୱତନ୍ତ୍ର ଭାବେ ବିସ୍ତୃତ ମାର୍ଗଦର୍ଶିକା ଓ ଏସଓପି ଜାରି ହୋଇଛି । ନିଯୁକ୍ତି ନିୟମିତ ଦାବିରେ ୧୩ ଦିନ ହେବ ରାଜଧାନୀରେ ଚୁକ୍ତିଭିତ୍ତିକ ଉଚ୍ଚ ବିଦ୍ୟାଳୟ ଶିକ୍ଷକମାନେ ଆନ୍ଦୋଳନ କରୁଥିଲେ । ବିଜ୍ଞପ୍ତି ପ୍ରକାଶ ଜିଦରେ ଶିକ୍ଷକମାନେ ଅଡ଼ି ବସିଥିଲେ । ଆଜି ବିଜ୍ଞପ୍ତି ପ୍ରକାଶ ପରେ ଚାଲିଥିବା ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୧୮ ହଜାରରୁ ଅଧିକ ଚୁକ୍ତିଭିତ୍ତିକ ଶିକ୍ଷକ ଉପକୃତ ହେବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ୨୦୧୩ ପୂର୍ବରୁ ଅର୍ଥାତ୍ ୨୦୦୪ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତ ପ୍ରାୟ ୧୪ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ବିଜ୍ଞପ୍ତିରେ ଉପକୃତ ହେବେନି । କେବଳ ସେମାନଙ୍କ ବରିଷ୍ଠତା ବଜାୟ ରହିବ । ନିୟମିତ ଦାବିରେ ସେମାନେ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ଗଣଶିକ୍ଷା ବିଭାଗର ଉପରୋକ୍ତ ବିଜ୍ଞପ୍ତିକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ୨୦୧୩ ପୂର୍ବରୁ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଏଥିରେ କିଛି ସୁବିଧା ମିଳିବନି । ତେଣୁ ସେମାନଙ୍କ କଥାକୁ ମଧ୍ୟ ବିଚାର କରାଯାଉ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଜନ୍ମ ଦିବସରେ ଓଡ଼ିଶାରୁ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ନେଇ ଘୋଷଣା କରିଥିଲେ । ଘୋଷଣା ପରେ ସମସ୍ତ ବିଭାଗରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ନିୟମିତ ହୋଇଥିଲେ । କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ୧୮ ହଜାରରୁ ଅଧିକ ଚୁକ୍ତିଭିତ୍ତିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇନଥିଲା । ଘୋଷଣା ପରେ ବି ବିଭାଗ ନିୟମିତ ନକରିବାରୁ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପ୍ରଥମେ ଡିସେମ୍ବର ୭ ତାରିଖରେ ଆନ୍ଦୋଳନକୁ ଓହ୍ଲାଇଥିଲା । ଏହି ଆନ୍ଦୋଳନ ପରେ ମଧ୍ୟ ନିୟମିତ ବିଜ୍ଞପ୍ତି ସରକାର ପ୍ରକାଶ କରିନଥିଲେ । ସଂଘ ପୁଣି ଏପ୍ରିଲ ୧ ତାରିଖ ଦିନ ବିଧାନସଭା ଆଗରେ ଧାରଣା ଦେଇଥିଲା । ସରକାର ଆଲୋଚନାକୁ ଡାକି ତିନିଦିନ ମଧ୍ୟରେ ନିୟମିତ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ରାଜ୍ୟ ସଂଘ ନିୟମିତ ବିଜ୍ଞପ୍ତି ପ୍ରକାଶ ପାଇବା ଯାଏଁ ଧାରଣା ଜାରି ରହିବ ବୋଲି କହିଥିଲା । ଆଜି ଧାରଣାର ୧୩ ଦିନ ହୋଇଥିବାବେଳେ ସରକାର ଦାବି ପୂରଣ କରିଥିବା ସଂଘ ପକ୍ଷରୁ କୁହାଯାଇଛି । ସେହିପରି ଓଡ଼ିଶା ସରକାରୀ ହାଇସ୍କୁଲ ସିବିଟି ଶିକ୍ଷକ ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲା । ଓଟିଏଫର ପ୍ରଭାକର ଜୟସିଂ କହିଛନ୍ତି, ବରିଷ୍ଠ ଶିକ୍ଷକଙ୍କ ବରିଷ୍ଠତା ବଜାୟ ରହିବା ସହ କନିଷ୍ଠଙ୍କୁ ଉଚିତ ନ୍ୟାୟ ମିଳିଛି । ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ଗଣଶିକ୍ଷା ସଚିବଙ୍କୁ ରାଜ୍ୟ ସଂଘ ସଭାପତି ପଞ୍ଚାନନ ଜେନା, ସମ୍ପାଦକ ସତ୍ୟଭୂଷଣ ତରାଇ, ଉପଦେଷ୍ଟା ବିଶ୍ୱଜିତ ବିଶ୍ୱାଳ, ଓଡ଼ିଶା ସରକାରୀ ହାଇସ୍କୁଲ ସିବିଟି ସଂଘ ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ଉପଦେଷ୍ଟା ବିଜୟ ମଲ୍ଲ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷେ ବିଜ୍ଞପ୍ତି ପ୍ରକାଶକୁ ନେଇ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିବା ବେଳେ ବିଭାଗ ପକ୍ଷରୁ ଏ ନେଇ କୌଣସି ବିଧିବଧ୍ୟ ଘୋଷଣା କରାଯାଇ ନାହିଁ । ଏ ସମ୍ପର୍କରେ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button