ବାଲେଶ୍ୱରରେ ମନମୋହନଙ୍କ ଦୃଢ଼ୋକ୍ତି: ୨୦୨୪ରେ ସରକାର ଗଠନ କରିବ ବିଜେପି

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ରେ ବିଜେପି ଭଲ ପ୍ରଦର୍ଶନ ସହ ସରକାର ଗଠନ କରିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଗୁରୁବାର ଦିନିକିଆ ବାଲେଶ୍ୱରଗସ୍ତ ଅବସରରେ ଶ୍ରୀ ସାମଲ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ବିଜେପି କ୍ଷମତାକୁ ଆସିବା ପରେ ବାଲେଶ୍ୱର ସହ ସାରା ରାଜ୍ୟର ବିକାଶ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ୨୩ ବର୍ଷର ବିଜେଡି ଶାସନରେ ବାଲେଶ୍ୱର ଜିଲ୍ଲାର ବିକାଶ ହୋଇପାରିଲା ନାହିଁ । ନୂତନ ଶିଳ୍ପାନୁଷ୍ଠାନ ତ ବହୁ ଦୂର କଥା, ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ବନ୍ଦ୍ ହୋଇଯିବା କାରଣରୁ ଆଜି ଯୁବକଯୁବତୀ ଦାଦନ ଖଟିବା ପାଇଁ ଯାଉଛନ୍ତି । ଜିଲ୍ଲାର ରାସ୍ତା, ଘାଟ, ଶିକ୍ଷା, ସ୍ୱାସ୍ଥ୍ୟବସ୍ଥା ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଓଡ଼ିଶାରେ ରାଜ୍ୟ ସରକାର ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର ପାଲଟିଥିବା ବିଜେଡି ସରକାରକୁ ହଟାଇ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରଥମେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ନହରପାଟଣା ଛକରେ ବିପୁଳ ସ୍ୱାଗତ କରାଯାଇଥିଲା । ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ସାମଲ ସେଠାରେ ବୃକ୍ଷରୋପଣ କରିଥିଲେ । ଏହା ପରେ ଫୁଲାଡି ଛକଠାରୁ ବିରାଟ ବାଇକ ଶୋଭାଯାତ୍ରାରେ ଝାଡ଼େଶ୍ୱର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ଗାନ୍ଧୀ ସ୍ମୃତି ଭବନରେ ପହଞ୍ଚିବା ପରେ ଏକ ଜଳଛତ୍ରର ଉଦ୍‌ଘାଟନ କରିବା ପରେ ଦଳ ତରଫରୁ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦିକା ସିପ୍ରା ବାଜପେୟୀ, ଜିଲ୍ଲା ସାଧାରଣ ସଂପାଦକ ପର୍ଶୁରାମ ପରିଡ଼ା, ଈଶ୍ୱର ଚନ୍ଦ୍ର ପରିଡ଼ା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ପର୍ଶୁରାମ ବେହେରା, ସୁଷମା ବିଶ୍ୱାଳ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button